ଭୁବନେଶ୍ବର:ପୂରଣ ହେବାକୁ ଯାଉଛି ମେଟ୍ରୋ ସ୍ବପ୍ନ । ଡିସେମ୍ବର 2027 ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ କାମ । ମେଟ୍ରୋ ପ୍ରକଳ୍ପର ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । କେବଳ ସେତିକି ନୁହେଁ ମେଟ୍ରୋ ରେଳ ଷ୍ଟେସନରେ ଝଲସିବ ଓଡ଼ିଆ କଳା, ସଂସ୍କୃତି ଓ ଐତିହ୍ୟ । ମାର୍ଚ୍ଚ ୨୦୨୫ ସୁଦ୍ଧା ଖର୍ଚ୍ଚ ହେବ ୩୫୦ କୋଟି । ପ୍ରଥମେ ୨୬ କିମିରେ ଆରମ୍ଭ ହେବ ମେଟ୍ରୋ ଚଳାଚଳ । ପ୍ରଥମ ୨୦ଟି ଷ୍ଟେସନ ଦେବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ବାର୍ତ୍ତା ।
୨୦୨୭ ଡିସେମ୍ବର ଶେଷ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ କାମ:
ଆସନ୍ତା ୨୦୨୭ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ । ଏହି ପ୍ରକଳ୍ପ ପାଇଁ ଗଠିତ ହୋଇଥିବା (ବି.ଏମ.ଆର.ସି) ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ସହିତ ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ, ଏକାଠି ମିଶି କାମ କରୁଛନ୍ତି । ଏନେଇ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ମେଟ୍ରୋ ଷ୍ଟେସନରେ ସ୍ଥାନ ପାଇବ ଓଡିଶାର ସଂସ୍କୃତି ଓ ସଭ୍ୟତା:
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ମେଟ୍ରୋ ଷ୍ଟେସନରେ ସ୍ଥାନ ପାଇବ ଓଡିଶାର ସଂସ୍କୃତି ଓ ସଭ୍ୟତା । ଭୁବନେଶ୍ବର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ହେବ ୨୦ଟି ଷ୍ଟେସନ । ତେବେ ପ୍ରତ୍ୟେକଟି ମେଟ୍ରୋ ଷ୍ଟେସନରେ ହେବ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପଦର୍ଶନ । ବିଭିନ୍ନ ପ୍ରକାରର ଚିତ୍ର ସମେତ ହେରିଟେଜ ଆଦି ରହିବ ।’
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ:
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘ମେଟ୍ରୋ ରେଳ ପାଇଁ 6 ହଜାର 256 କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଅଟକଳ ହୋଇଛି । ଯାହାକି ନଭେମ୍ବର 2023ରୁ ବର୍ତ୍ତମାନ ସୁଦ୍ଧା 420 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ଅକ୍ବୋବରରେ ରାଜ୍ୟ ସରକାର ମେଟ୍ରୋ ପାଇଁ 250 କୋଟି ଟଙ୍କା ଦେଇଛନ୍ତି । ଏଥିସହ ମାର୍ଚ୍ଚ 31 ସୁଦ୍ଧା 350 କୋଟି ଟଙ୍କା ରାଜ୍ୟ ସରକାର ଦେବେ । ଏଥିସହ ଆଉ 1750 କୋଟି ଟଙ୍କା ଆସନ୍ତା 2025-26 ଆର୍ଥିକ ବର୍ଷରେ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ପ୍ରତିଦିନ ପାଖାପାଖି ୧ ଲକ୍ଷ ଯାତ୍ରୀ ଯିବାର କ୍ଷମତା ରହିବ:
ସାଂସଦ ଆହୁରି କହିଛନ୍ତି, ‘ଭୁବନେଶ୍ୱର ମେଟ୍ରୋର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଏକାମ୍ରରେ ୩ ଟି ଷ୍ଟେସନ, ମଧ୍ୟରେ ୪ଟି ଷ୍ଟେସନ ଓ ଉତ୍ତର ୧୦ଟି ରେ ମେଟ୍ରୋ ରେଳ ପ୍ରକଳ୍ପ କାମ ହେବା ସହିତ ୩ଟି ଷ୍ଟେସନ କଟକରେ ରହିବ । ଏଥିରେ ପାଖାପାଖି ୯୫ ହଜାର ଲୋକ ପ୍ରତିଦିନ ଯିବା ଆସିବାର କ୍ଷମତା ରହିବ । ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି । ବାକି ୧୫ ଏକର ଜମି ଖୁବ୍ ଶୀଘ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪୦ ଏକର ଜମି ମଳିପଡାରେ ଦିଆଯାଇଛି ଯେଉଁଠି ମେଟ୍ରୋ ଅଫିସ ଅଛି ଓ ମେଟ୍ରୋର କାମ ସେଠାରେ ଚାଲିଛି’ ।
ମେଟ୍ରୋ ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର:
ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଏହା ପରେ କଣ କରାଯିବ, କେନ୍ଦ୍ରର ସହାୟତା ଦରକାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାଯିବ" ବୋଲି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
କେବେ ଆରମ୍ଭ ହୋଇଥିଲା ମେଟ୍ରୋ ରେଳ ପ୍ରକଳ୍ପ:
‘ନଭେମ୍ବର ୨୦୨୩ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଷ୍ଟେସନ୍ ସମେତ ୨୬ କିମି କାମ ହେବା ସହିତ ଏହି ସମସ୍ତ ରୁଟରେ
୧୩ଟି ଟ୍ରେନ ଚାଲିବ । ପ୍ରତ୍ୟେକ ଟ୍ରେନରେ ୩ କରି କୋଚ୍ (ଡବା) ରହିବ" ବୋଲି ପ୍ରାଥମିକ ଭାବରେ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ।