ଭୁବନେଶ୍ବର:ରାଜଧାନୀର ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ । କଳ୍ପନା ଛକ ତେଲୁଗୁ ବସ୍ତିରେ ଘଟିଲା ଅଘଟଣ । ଠାକୁର ପୁଜା ଦୀପରୁ ନିଆଁ ଲାଗି ଜଳିଗଲା ୧୦ଜଣଙ୍କ ଘର । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ । ଘଟଣା ସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପରିଦର୍ଶନ କରି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ବସ୍ତିର ବାସହରା ହୋଇଗଲେ ୧୦ ପରିବାର ।
ଡେପୁଟି ଫାୟାର ଅଫିସର ଅବନୀକାନ୍ତ ସ୍ବାଇଁଙ୍କ ସୂଚନା ମୁତାବକ, ଦିନପ୍ରାୟ ୧୧ଟା ୧୦ସମୟରେ ଦମକଳ କେନ୍ଦ୍ରକୁ ଖବର ମିଳିଥିଲା । କଳ୍ପନା ଛକ ବଂଶୀଧାର ହୋଟେଲ ପଛପଟେ ରହିଥିବା ତେଲୁଗୁ ବସ୍ତିରେ ଏକ ଅଗ୍ନିକାଣ୍ଡ ହୋଇଛି । ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଆରମ୍ଭ କରିଥଲେ । ବସ୍ତିର ଘରଗୁଡ଼ିକ ଜରି ଓ ପାଲ ଦ୍ବାରା ନିର୍ମିତ ହୋଇଥିବାରୁ କିଛି କ୍ଷଣ ମଧ୍ୟରେ ଘରକୁ ଘର ନିଆଁ ବ୍ୟାପି ଯାଇଥିଲା । ଏନେଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ । ଲୋକଙ୍କ ସହଯୋଗରେ ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଠାକୁର ପୂଜା ଦୀପରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ନିଆଁକୁ ଲିଭାଇବା ପାଇଁ ବସ୍ତିର ଲୋକେ ପ୍ରାଣପଣେ ଚେଷ୍ଟା କରିଥିଲେ । ଯେହେତୁ ଘର ଗୁଡ଼ିକ ପଲିଥିନରେ ଛପର ହୋଇଥିଲା ନିଆଁ ଶୀଘ୍ର ବ୍ୟାପିଥିଲା । ଗୋଟିଏ ସ୍ଥାନରୁ ପ୍ରାୟ ୧୦ଜଣଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା । ଗ୍ୟାସ ଟାଙ୍କି ଫାଟିଥିବା ମଧ୍ୟ ସନ୍ଦେହରେ କେହି ନିକଟକୁ ଯାଇ ନଥିଲେ । ତଥାପି ଯିଏ ଯେମିତି ପାରିଲା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ଲୋକେ । ସେପଟେ ଘର ପାଖକୁ ପାଖକୁ ଲାଗିଥିବାରୁ ନିଆଁ ଦୃତଗତିରେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ୧୦ଟିଘର ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିଲା ।