ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ବର୍ଷକର ଆୟବ୍ୟୟ ହିସାବ ଦେଇ 2024-25 ଆର୍ଥିକ ବର୍ଷର 4 ମାସ ପାଇଁ ଗୃହରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ଅପରାହ୍ନ 4ଟାରେ ବଜେଟ ଉପସ୍ଥାପନ ହେବ । ଏହା ନବୀନ ସରକାରର ପଞ୍ଚମ ପାଳିର ଶେଷ ବଜେଟ । ନିର୍ବାଚନ ପାଇଁ ଏଥର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇପାରୁନଥିବା ବେଳେ ଅର୍ଥମନ୍ତ୍ରୀ 1.25 ଲକ୍ଷ କୋଟିର କାମଚଳା ବଜେଟ ଆଗତ କରିପାରନ୍ତି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ ଲୋକାଭିମୁଖୀ ଯୋଜନା ଘୋଷଣା ହୋଇପାରେ । ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।
ଏହା ମଧ୍ୟ ପଢନ୍ତୁ-ବିଧାନସଭା ବେଦାନ୍ତ ତାତି; ଧାରଣାରେ ବସିଲେ ନରସିଂହ ଗୃହ ମୁଲତବୀ
ବଜେଟରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ଓ ମହିଳାଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ କୃଷିକ୍ଷେତ୍ର ଉପରେ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଅର୍ଥମନ୍ତ୍ରୀ ଏହି କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ କରିବେ । ସାରା ରାଜ୍ୟବାସୀଙ୍କ ନଜର ଏହା ଉପରେ ରହିଛି ।