କଟକ: ଜିଲ୍ଲା ସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି । ଆସନ୍ତା ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ଜିଲ୍ଲାରେ ୧୧ ଲକ୍ଷ ୩୨ ହଜାର ୬୦୯ ଜଣଙ୍କୁ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତାସହିତ ୧ ବର୍ଷରୁ ୧୯ ବର୍ଷର ପିଲାମାନଙ୍କୁ କୃମି ବଟିକା ଦିଆଯିବ । ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଉଛି ।
ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରତିବର୍ଷ ଫାଇଲେରିଆ ନିରାକରଣ ଅଭିଯାନ କରାଯାଇଥାଏ । ଯେଉଁଥିରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଜି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ତରୀୟ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ମଧ୍ୟ କରାଯାଇଛି । ଜିଲ୍ଲାରେ ଚଳିତ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯାହାର ସୂଚନା କଟକ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାରେ ୧୧ ଲକ୍ଷ ୩୨ ହଜାର ୬୦୯ ଉପଭୋକ୍ତାଙ୍କୁ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି । ଏଥିପାଇଁ ୪,୫୦୬ ଜଣ ଔଷଧ ପ୍ରଦାନକାରୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ୧ ବର୍ଷରୁ ୧୯ ବର୍ଷର ପିଲାମାନଙ୍କୁ କୃମି ବଟିକା ମଧ୍ୟ ଦିଆଯିବ ।