ବ୍ରହ୍ମପୁର(ଗଞ୍ଜାମ):ଜମି ବିକ୍ରି କରିବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବ୍ରହ୍ମପୁର ପୋଲିସ ଦ୍ୱାରା ଗିରଫ ହେଲେ ଠକ ବାପା ଓ ପୁଅ । ଏନେଇ ଜଣେ ମହିଳା ବଡ଼ବଜାର ଥାନାରେ ଅଭିଯୋଗ କରିବା ପରେ ଠକ ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ହନୁମାନ ସାହିର ବାଲାଜୀ ସାହୁ ଓ ତାଙ୍କ ପୁଅ ରଘୁରାଜ ସାହୁ ।
କ'ଣ ରହିଥିଲା ସମ୍ପୂର୍ଣ୍ଣ ଘଟଣା ?
ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନର ସାରଦା ସାମଲ ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଭାପୁର ବଜାରଠାରେ ଥିବା ଏକ ପ୍ଲଟ କିଣିବାକୁ ୨୦୧୯ ମସିହାରେ ବାଲାଜୀ ଓ ରଘୁରାଜକୁ ୩୦ ଲକ୍ଷ ଟଙ୍କା ଦେଇଥିଲେ । ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା । ଟଙ୍କା ଗ୍ରହଣ କରିବାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ବାପା ଓ ପୁଅ ଉକ୍ତ ପ୍ଲଟକୁ ସାରଦାଙ୍କ ନାମରେ ପଞ୍ଜିକରଣ କରିନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ । ଯାହାକି ପାଲଟା ସାରଦା ଟଙ୍କା ମାଗିବାରୁ ତାଙ୍କୁ ହତ୍ୟା ଧମକ ଦେଇଥିଲେ ।
ଗିରଫ ହେଲେ ଠକ ବାପା-ପୁଅ:
ଏନେଇ ସାରଦା ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଗତ ବୁଧବାର ଦିନ ଏକ ଦାମୀ କାରରେ ଠକ ବାପା ଓ ପୁଅ ବୁଲୁଥିବାବେଳେ କମାପଲ୍ଲୀ ନିକଟରୁ ବଡ଼ବଜାର ଥାନା ପୋଲିସ ଉଭୟଙ୍କୁ କାବୁ କରିଥିଲା । ବଡ଼ବଜାର ଥାନାକୁ ନେଇ ଅଧିକ ପଚରାଉଚୁରା କରିବା ପରେ ଠକ ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।