ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଚଳିତମାସ ୩ ତାରିଖରୁ ଧାନମଣ୍ଡିର ଶୁଭାରମ୍ଭ ହୋଇସାରିଛି । ମାତ୍ର ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ବାଘଳା ଗ୍ରାମରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ । ଯାହାକି ଚାଷୀଙ୍କୁ ଟକେନ୍ ମିଳିଥିଲେ ମଧ୍ୟ ଅଦ୍ୟାବଧି ଧାନ ସଂଗ୍ରହ ହୋଇପାରିନାହିଁ ।ପଞ୍ଚାୟତରେ ଧାନ ସଂଗ୍ରହ ପାଇଁ ଦାୟିତ୍ୱରେ ରହିଥିବା ମହିଳା ସ୍ୱୟଂ ସହାୟିକାମାନେ ଚାଷୀଙ୍କ ଧାନ ନେଉନଥିବା ଅଭିଯୋଗରେ ଧାନ ମଣ୍ଡି ସମୁଖରେ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ ।
-
କାହିଁକି ଏଭଳି ଅବ୍ୟବସ୍ଥା
ଗତ ଅଦିନିଆ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ଚାଷୀକୂଳ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ନେଇ ନାନା ଚିନ୍ତାରେ ରହିଛନ୍ତି ଜିଲ୍ଲାର ଚାଷୀମାନେ । ଏଭଳି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଳମ୍ୱରେ ଅର୍ଥାତ୍ ଗତ ଜାନୁୟାରୀ ୩ ତାରିଖରେ ଏଠାରେ ମଣ୍ଡି ଆରମ୍ଭ କରାଯାଇଥିଲା । ହେଲେ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ଗ୍ରାମରେ ଅମଳ ହୋଇଥିବା ଧାନ ନେବା ପାଇଁ ଗତ ୩ ତାରିଖରୁ ଚାଷୀଙ୍କ ପାଇଁ ଟକେନ ଦିଆଯାଇଛି । ଉକ୍ତ ଟକେନଗୁଡିକୁ ଧରି ଚାଷୀମାନଙ୍କ ମଧ୍ୟରେ କେତେକ ଆଣି ଗ୍ରାମର ଏସ୍.ଏସ୍.ଜି ଗ୍ରୁଫ୍ କରିଥିବା ମଣ୍ଡିରେ ଧାନ ରଖିଥିବା ବେଳେ ଆଉ କେତେକ ନିଜ ଘରେ ରଖିଥିଲେ ମଧ୍ୟ ଅଦ୍ୟାବଧି ମଣ୍ଡିରେ ଧାନ ନେଉନାହାନ୍ତି । ଯାହାଫଳରେ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷିତ ଭାବେ ରଖିପାରିବେ କି ନାହିଁ ତାହାକୁ ନେଇ ନାନା ଆଶା ଅଶଙ୍କାରେ ରହିଛନ୍ତି ।
- ବାଘଳା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ
ଏନେଇ ଚାଷୀମାନେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଏପରି ନିଜର ଅମଳ ଧାନକୁ ଆଣି ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିବା କହିଛନ୍ତି । ବାଘଳା ପଞ୍ଚାୟତର ଚାଷୀମାନେ ଧାନ ବସ୍ତାକୁ ରାସ୍ତା ଉପରେ ରଖି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବସିବା ସହିତ ବାଘଳା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ ଚାଷୀ ମାନେ ।
- ଆନ୍ଦୋଳନତ ଚାଷୀଙ୍କ ଦାବି:
ଉକ୍ତ ଗ୍ରାମର ପାଣି ପଞ୍ଚାୟତର ସଭାପତି ତଥା ଚାଷୀ ରାଜକୁମାର ବସ୍ତିଆ ନିଜ ପ୍ରତିକ୍ରିୟାରେ ଚାଷୀମାନଙ୍କ ମୁଖ୍ୟ ଦାବି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଗତ ତିନି ତାରିଖରୁ ଟେକନ୍ ମିଳିଥିବା ବେଳେ ଅଦ୍ୟାବଧି ଧାନ କ୍ରୟ ହୋଇପାରୁ ନଥିବା ବେଳେ ସରକାରଙ୍କ ନିର୍ଦ୍ଧାରିତ ଯେଉଁ ଦର ରହିଛି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ସେହି ଦରରେ ଧାନ ଦେବା ସହିତ ଚାଷୀ ମାନେ କଟନୀ ଛଟନୀ ପାଇଁ ରାଜି ନଥିବା କହିଛନ୍ତି । ଏପରିକି ଧାନ ସଂଗ୍ରହ ସମୟରେ ଅଖା ମଧ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହି ଦାବି ପ୍ରତି ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।ଏପରିକି ଗ୍ରାମରେ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହ କରିନଥିବା କହିଛନ୍ତି । ଏ ନେଇ ଗତ ୧୨ ଦିନ ଧରି ଅପେକ୍ଷା କରି ରହିବା ପରେ ଶେଷରେ ଆନ୍ଦୋଳନକୁ ଓଲ୍ଲାଇଥିବା କହିଛନ୍ତି । ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗମୀ ଦିନରେ ଆହୁରି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।