ଓଡିଶା

odisha

ETV Bharat / state

ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କୁ ଘାରିଛି ବର୍ଷା ଭୟ - BALANGIR PADDY PROCUREMENT

ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ । ମଣ୍ଡିକୁ ଧାନ ଆଣିଛନ୍ତି ଚାଷୀ । ହେଲେ ମିଲର ଧାନ ଉଠାଉ ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

Paddy Procurement At Balangir
Paddy Procurement At Balangir (ETV Bharat Odisha)

By ETV Bharat Odisha Team

Published : Dec 20, 2024, 8:38 PM IST

ବଲାଙ୍ଗୀର: ଡିସେମ୍ବର ୨ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିରେ ପ୍ରାଥମିକ ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କିଣା ଆରମ୍ଭ ହୋଇଛି । ହେଲେ ଏଥିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ଚାଷୀ ଧାନ ଆଣି ମଣ୍ଡିରେ ରଖିଥିବା ବେଳେ ଏଯାଏଁ ମଣ୍ଡିରୁ ମିଲର ଧାନ ଉଠାଇ ନାହିଁ । ଯାହାଦ୍ୱାରା ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଥିବା ଅଭିଯୋଗ ଆଣିଛନ୍ତି । ମଣ୍ଡିରୁ ଧାନ ଉଠି ନଥିବା ବେଳେ ଚାଷୀଙ୍କୁ ବର୍ଷା ଭୟ ଘାରିଛି । ରାଜ୍ୟରେ ଲଘୁଚାପ ବର୍ଷା ସମ୍ଭାବନା ଥିବା ବେଳେ ଧାନ ନଷ୍ଟ ହେବାର ଆଶଙ୍କା ଚାଷୀକୁ ଡରାଇଛି । ସେପଟେ ମଣ୍ଡିରୁ ଧାନ ଉଠାଇବାରେ ଖିଲାପ କରୁଥିବା ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ମଣ୍ଡିରେ ପଡ଼ି ରହିଛି ଚାଷୀଙ୍କ ଧାନ:

Paddy procurement (ETV Bharat Odisha)

ଏନେଇ ବଲାଙ୍ଗୀର ମଳମୁଣ୍ଡା ଅଞ୍ଚଳର ଚାଷୀପ୍ରଦୀପ କୁମାର ପଟେଲ କହିଛନ୍ତି, "ଏଥର ଭଲ ଚାଷ ହୋଇଥିଲା । ଅମଳ ମଧ୍ୟ ଭଲ ହୋଇଛି । ଗତ ୭ ତାରିଖରୁ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣିଛି । ହେଲେ ଏଠି ଧାନ ଏଯାଏଁ ଉଠିନାହିଁ । ମୋର ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ଏପରିକି ଆଗକୁ ବର୍ଷା ଆସିବାର ସମ୍ଭାବନା ଥିବା ବେଲେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ମିଲର ଧାନ ନେବ ନାହିଁ । ସମାଧାନ ପାଇଁ ଏଠାକୁ କେହି ଆସୁନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ଧାନ ମିଲରେ ପଶ୍ଚିମବଙ୍ଗ ଟ୍ରକ, ଚାଲିଛି ଖୋଳତାଡ

ଏହା ମଧ୍ୟ ପଢ଼ନ୍ତୁ...୯ ଜିଲ୍ଲାରେ ସଂଗ୍ରହ ହେଲାଣି ୧,୮୧,୧୯୬ ମେଟ୍ରିକ ଟନ ଧାନ, ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର

ସେହିପରି ଆଉ ଜଣେ ଚାଷୀଚୈତନ୍ୟ ପଟେଲ କହିଛନ୍ତି, "ଏଥର ଚାଷ ଭଲ ହୋଇଛି ଓ ଅମଳ ମଧ୍ୟ ଭଲ ହୋଇଛି । ଗତ ୧୪ ତାରିଖରୁ ମୁଁ ମଣ୍ଡିରେ ଧାନ ଆଣି ରଖିଛି । ମୋର ଧାନର ମାନ ମଧ୍ୟ ପରୀକ୍ଷା ସରିଛି । ହେଲେ ମିଲର ଧାନ ଉଠାଉ ନାହାନ୍ତି । ମୋର ଧାନ ପଡ଼ି ରହିଛି । ମିଲର ଏଫଏକ୍ୟୁ ନାଁରେ କଟନୀ ଛଟନୀ କହୁଛି । ହେଲେ ଆମ ପାଖରେ କୌଣସି ମେସିନ ନାହିଁ ଯାହାଦ୍ୱାରା ଆମେ ଧାନ ସଫା କରିବୁ । ତେଣୁ ଆମେ ହଇରାଣ ହେଉଥିବା ବେଳେ ଏହାର ସମାଧାନ ହେଉ ।"

paddy procurement (ETV Bharat Odisha)

ମିଲରଙ୍କୁ କାରଣ ଦର୍ଶାଅ ନୋଟିସ:

ସେପଟେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କହିଛନ୍ତି, "ଧାନ କିଣା ଠିକ ଚାଲିଛି । ଏଯାଏଁ ୧୩୬ ଧାନ ମଣ୍ଡି କାର୍ଯ୍ୟକ୍ଷମ ହୋଇଛି । ଆଗକୁ ସବୁ ଧାନ ମଣ୍ଡି କାର୍ଯ୍ୟକ୍ଷମ ହୋଇ ଯିବ । ଏଯାଏଁ ୩ ଲକ୍ଷରୁ କ୍ୟୁଣ୍ଟାଲରୁ ଅଧିକ ଧାନ କ୍ରୟ ସରିଛି । କିଛି ମିଲର ମାନମାନି କରୁଥିଲେ । ୪ ଜଣ ମିଲରଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଆଗକୁ ସବୁର ସମାଧାନ ହୋଇଯିବ । ଏଫଏକ୍ୟୁ ଧାନରେ କଟନୀ ଛଟନୀ ହେଉନାହିଁ ।" ତେବେ ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ୧୪୭ଟି ପ୍ରାଥମିକ ସମବାୟ ସମିତି ଓ ୧୮ଟି ମହିଳା ଏସଏଚଜି (SHG) ଜରିଆରେ ଧାନ କିଣା ନିଷ୍ପତ୍ତି ହୋଇଛି । ଯେଉଁଥିରେ ୬୮ଟି ମିଲରକୁ ସାମିଲ କରାଯାଇଛି । ଜିଲ୍ଲା ଧାନ କ୍ରୟ କମିଟି ଦ୍ୱାରା ଗତ ୨ ତାରିଖରୁ ଧାନ କିଣା ଯିବାର ନିଷ୍ପତ୍ତି ଅନୁସାରେ ଧାନ କିଣା ଆରମ୍ଭ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details