ବଲାଙ୍ଗୀର: ପ୍ରେମ ବିବାହ କରି ଜାତି ଓ ଗାଁରୁ ହୋଇଥିଲେ ବାସନ୍ଦ । ମାତ୍ର ମୃତ୍ୟୁ ପରେ ବି ପିଛା ଛାଡିଲାନି ଜାତିଭେଦର କୁପ୍ରଥା । ମୃତ୍ୟୁ ପରେ ଶେଷକୃତ୍ୟ ହୋଇନପାରି ପଡିରହିଲା ମୃତଦେହ । ନା ପରିବାର ସଦସ୍ୟ, ନା ଗ୍ରାମବାସୀ କେହି ବି ଅନ୍ତିମ ସଂସ୍କାର ପାଇଁ ସାହାଯ୍ୟର ହାତ ମଧ୍ୟ ବଢାଇଲେ ନାହିଁ । ଶେଷରେ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା ।ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକରୁ ଆସିଥିବା ଏଭଳି ଅଭାବନୀୟ ଚିତ୍ର ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।
ସୂଚନା ଅନୁସାରେ, ବରାହମାଲ ଗ୍ରାମର ସୁରୁବାଲି ବଗର୍ତ୍ତିଙ୍କ ସାନ ପୁଅ ଉପେନ୍ଦ୍ର ବଗର୍ତ୍ତି ଭିନ୍ନ ଜାତିର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ନିର୍ମାଣ ଶ୍ରମିକ ଭାବରେ ସମ୍ବଲପୁର ଠାରେ କାମ କରୁଥିଲେ । କିଛି ମାସ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ତାଙ୍କ ସ୍ତ୍ରୀ ଓ ସନ୍ତାନଙ୍କୁ ଧରି ନିଜ ପୈତୃକ ଗ୍ରାମକୁ ଫେରିଥିଲେ । ମାତ୍ର ଗ୍ରାମବାସୀ ତଥା ତାଙ୍କ ସମାଜର ଲୋକେ ତାଙ୍କୁ ଓ ତାଙ୍କ ପରିବାରକୁ ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ବାସନ୍ଦ କରିଥିଲେ ।
ସେପଟେ ଉପେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ନେଇ ପରିବାର ଲୋକେ ଗାଁକୁ ଯିବାକୁ ବାହାରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଗାଁକୁ ପ୍ରବେଶ କରିବାକୁ ଦେଇନଥିଲେ । ଯାହା ପରେ ମୃତଦେହକୁ ଧରି ତାଙ୍କ ପରିବାର ଲୋକେ ଦୀର୍ଘ ଦଶ ଘଣ୍ଟା ଅସହାୟ ଅବସ୍ଥାରେ ଅପେକ୍ଷା କରିବାକୁ ବାଧ୍ୟ ଥିଲେ । ଶେଷରେ ପୋଲିସର ହସ୍ତକ୍ଷେପ ପରେ ବଲାଙ୍ଗୀର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଉପେନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରିଛି ।