କଟକ:ଭଜନ ସମ୍ରାଟ ଭିକାରୀ ବଳଙ୍କୁ ଅସମ୍ମାନ ଅଭିଯୋଗ। ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହୋଇଛି, ଆଉ ହାତ ମୁହଁ ଜରିପାଲରେ ଢାଙ୍କି ବନ୍ଧାଯାଇଛି । ଅଭିଯୋଗ ଅନୁସାରେ, ନେତାଜୀ ବସ ଟର୍ମିନାଲ ସମ୍ପ୍ରସାରଣ ସମୟରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଖାନନଗର ବୁରୁଜ ନିକଟରୁ ଉଠାଇ ଦିଆଯାଇଥିଲା। ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସତେ ଯେମିତି ଭିକାରୀ ବଳଙ୍କୁ ଭୁଲି ଯାଇଛି। ଯାହାକୁ ନେଇ ତାଙ୍କ ପୁଅ ଏବଂ ଭିକାରୀ ବଳ ସ୍ମୃତି ସଂସଦ ଅସନ୍ତୋଷ ପ୍ରକାଶ କରିବା ସହ CMCକୁ ଦାୟୀ କରିଛନ୍ତି। ଅନ୍ୟପଟେ ସିଏମସି ମେୟର କହିଛନ୍ତି, "ଖୁବଶୀଘ୍ର ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ ।"
ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅବହେଳା ଅଭିଯୋଗ:
ଲୁହା ଖୁଣ୍ଟିରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହେଇଛି ଆଉ ହାତ ମୁଁହ ଜରିପାଲ ଢାଙ୍କି ବନ୍ଧାଯାଇଥିବା ଦେଖିବାକୁ ମିଳିଛି । CMCର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ଏମିତି ପଡ଼ିରହିଛି ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି । ଶହ ଶହ ଜଗନ୍ନାଥ ଭଜନ ଗାଇ ଓଡ଼ିଶାକୁ ଗୌରବାନିତ କରିଥିବା ଭଜନ ସମ୍ରାଟଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ପାଖରେ ମଦ ବୋତଲ ସହ ଭଙ୍ଗା ଜିନିଷପତ୍ର ମଧ୍ୟ ପଡ଼ିରହିଛି । କଟକ ମହାନଗର ନିଗମ ଅଧୀନ ବିକାଶ ଭବନର ବିଭିନ୍ନ ଯନ୍ତ୍ରାଂଶ ରହୁଥିବା ଖୋଲା ସ୍ଥାନରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଖାନନଗର ପାର୍କ ନିକଟରୁ ଏହି ପ୍ରତିମୂର୍ତ୍ତି ଉଚ୍ଛେଦ ହେବା ପରେ ବର୍ଷେରୁ ଅଧିକ ସମୟ ଧରି ଏହି ସ୍ଥାନରେ ଖୋଲା ଆକାଶ ତଳେ ପଡିରହିଛି । ମୁହଁରେ କଳା ଜରି ବନ୍ଧା ହୋଇଛି । ଗୋଡରେ ପ୍ଲାଷ୍ଟିକ ଦଉଡି ବନ୍ଧା ହୋଇଛି। ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଏପରି ଅବସ୍ଥାରେ ରଖାଯିବାକୁ ନେଇ ତାଙ୍କ ବଡ ପୁଅ ଏବଂ ସ୍ମୃତି ସଂସଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଭିକାରୀ ବଳଙ୍କ ପୁଅ ଅଶୋକ ବଳ କହିଛନ୍ତି, " ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ସିଏମସି ଧ୍ୟାନ ଦେଇନାହିଁ । ବର୍ତ୍ତମାନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପରେ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିଛନ୍ତି ।"