ଖୋର୍ଦ୍ଧା: ସରକାରୀ ସହାୟତା ପାଲଟିଛି ସାତ ସପନ... ମୁଁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ । ଭଙ୍ଗା ଦଦରା ଜରିପାଲ ଗୁଡା ହୋଇଥିବା ଘରେ କଟୁଛି 4 ପ୍ରାଣୀଙ୍କ ଦିନ ଓ ରାତି । ଭଙ୍ଗା ଘର ପାଖରେ କରିଥିବା ଛୋଟିଆ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା କଷ୍ଟକର । ତଥାପି କଷ୍ଟେ ମଷ୍ଟେ ଘର ଚଳାଇବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତର ରହିମ ଖାଁ ଙ୍କ କଥା । ଗୋଟିଏ ପରେ 4 ଜଣଙ୍କ ପେଟ ପୋଷିବା କଷ୍ଟକର ହୋଇପଡିଥିବା ବେଳେ ପକ୍କା ଘର ଟିଏ କେମିତି କରବେ ସେନେଇ ଚିନ୍ତାରେ ।
ଜରିପାଲ ତଳେ ପରିବାର:
ରହିମ ଖାଁଙ୍କ ପରିବାରରେ ତାଙ୍କ ପତ୍ନୀ ଓ 2 ପୁଅ ଅଛନ୍ତି । ରହିମ ଦାଣ୍ତ ପିଣ୍ଡାରେ ଗୋଟିଏ ଛୋଟ ଦୋକାନ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । 2ଟି ପୁଅ ମଧ୍ଯରୁ ବଡପୁଅ ଯୁକ୍ତ 2ରେ ପାଠ ପଢୁଥିବା ବେଳେ ରହିମ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବାରୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଅର୍ଥ ବାଧକ ସାଜିଛି । ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଥିବାରୁ ଘର କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟିଏ ଭଙ୍ଗା ଘର ହିଁ ସାହାରା ପାଲଟିଛି । ଘରଟି ଝାଟିମାଟିର କାନ୍ଥ ଉପରେ ଜରିପାଲ ପକାଇ ରହୁଛନ୍ତି । ଅସରାଏ ବର୍ଷା ହେଲେ କଥା ସରିଲା ।
ଘର ଖଣ୍ଡେ ପାଇଁ ରହିମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ମିଳିପାରିନାହିଁ । ପୂର୍ବରୁ ଆବାସ ପାଇଥିବା ଲୋକଙ୍କୁ ପୁଣି ଥରେ ଘର ମିଳୁଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ନଥିବା ଅଭିଯୋଗ କରିଛନ୍ତି ସେ । ସେପଟେ ଖୁବଶୀଘ୍ର ରହିମଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ସେହିପରି ରହିମଙ୍କ ପାଖରେ ପହଞ୍ଚି ତଦନ୍ତ କରି ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ ।
ଆବାସ ଅପେକ୍ଷାରେ ରହିମ:
ଏନେଇ ରହିମ ଖାଁକହିଛନ୍ତି, "ରହିବାକୁ ଘରଦ୍ବାର ନାହିଁ । ଘର ନଥିବାକୁ ଜରିପାଲ କୁଡ଼ିଆରେ ଦିନ କଟୁଛି । ଘରେ 4 ଜଣ ରହୁଛୁ । ସରକାର ଆମ କଥା ବୁଝୁ ନାହାନ୍ତି । ଯେଉଁମାନଙ୍କୁ ଘର ମିଳିଥିଲା ସେମାନେ ଦ୍ବିତୀୟ ଥର ପାଉଛନ୍ତି, ହେଲେ ଆମେ ଏ ପର୍ଯ୍ୟନ୍ତ ଘର ପାଇପାରିନୁ । ନବୀନ ସରକାର ଥିବା ବେଳେ ଘର ପାଇଁ ଆବେଦନ କରିଥିଲି, ହେଲେ ଘର ମିଳିଲାନି । ସରକାରଙ୍କ ପାଖରେ ଏତିକି ଦାବି ଯେ, ଆମକୁ ଘରେ ଖଣ୍ଡେ ଦିଆଯାଉ ।"