ଓଡିଶା

odisha

ETV Bharat / state

ଫସଲ ଉଜୁଡି ଯିବାରୁ ଚାଷୀ ଜୀବନ ହାରିଥିବା ଅଭିଯୋଗ, ପରିବାରକୁ ଭେଟିଲେ ନବୀନ - FARMER SUICIDE IN JAGATSINGHPUR

ଜଗତସିଂହପୁର ଗସ୍ତ କରି ଚାଷୀମାନଙ୍କ ବର୍ଷା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୃତ ଚାଷୀ ପରିବାରକୁ ଭେଟି ଜଣାଇଲେ ସମବେଦନା ।

FARMER SUICIDE IN JAGATSINGHPUR
FARMER SUICIDE IN JAGATSINGHPUR (ETV Bharat Odisha)

By ETV Bharat Odisha Team

Published : Dec 31, 2024, 10:44 PM IST

ଜଗତସିଂହପୁର: ଅଦିନିଆ ବର୍ଷାରେ ଉଜୁଡା ଧାନକୁ ଦେଖି ଚାଷୀ ଜୀବନ ହାରିଥିବା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ସାରେଣା ଗାଁର ଯୁବଚାଷୀ କୃତିବାସ ସ୍ୱାଇଁ ଜୀବନ ହାରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ଉଜୁଡା କ୍ଷେତକୁ ଦେଖି ଜୀବନ ହାରିଲେ ଚାଷୀ

ଅଦିନିଆ ବର୍ଷା ଉଜାଡି ଦେଲା ସଂସାର । ଧାରକରଜ କରି ଚାଷ କରିଥିବା ଏକର ଏକର ଧାନ ବିଲରେ ପାଣି ପଶି ଗଜା ହୋଇଗଲା ଧାନ । ଏ ଦୁଃଖକୁ ସହି ନପାରି ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ତାଣ୍ଡିକୁଳ ପଞ୍ଚାୟତର ସାରେଣା ଗାଁର ଯୁବଚାଷୀ କୃତିବାସ ସ୍ୱାଇଁ ନିଜ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ସୂଚନା ଅନୁସାରେ, ସେ ଗତକାଲି ସନ୍ଧ୍ୟାରେ ଉପର ମହଲାରେ ଥିବା ଠାକୁର ଘରେ ପୂଜା କରିବା ପରେ ନିକଟରେ ଥିବା ଏକ ରୁମରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା ପକ୍ଷରୁ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବା ସହିତ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ତାଙ୍କର ଦୁଇଟି ଝିଅ, ପତ୍ନୀ ଓ ବୃଦ୍ଧ ମା ଏବଂ ବାପା ଅଛନ୍ତି । ମୃତ ଚାଷୀଙ୍କ ମା’ କହିଛନ୍ତି, "ଧାନ କ୍ଷେତକୁ ଦେଖି ଚିନ୍ତାରେ ଥିଲା ପୁଅ । ଧାରକରଜ କରି ଧାନ ଚାଷ କରିଥିବାରୁ ଏବେ କିଭଳି ସେସବୁ ସୁଝାହେବ ସେନେଇ ଚିନ୍ତାରେ ଥିଲା ।ଯେଉଁଥିପାଇଁ ଜୀବନ ହାରିଛି ।"

FARMER SUICIDE IN JAGATSINGHPUR (ETV Bharat Odisha)

ମୃତକଙ୍କ ସାଙ୍ଗ ପ୍ରମୋଦ ଲେଙ୍କା କହିଛନ୍ତି,"ବର୍ଷା ଜନିତ କ୍ଷୟକ୍ଷତି ପରେ ବିଲରେ ଉଜୁଡା ଧାନକୁ ଦେଖି ଥରେ କୁର୍ତ୍ତିବାସ ଥରେ ବିଲ ପାଖରେ ବେହୋସ ହୋଇଯାଇଥିଲେ । ବାରମ୍ବାର ବଞ୍ଚିବି ନାହିଁ ବୋଲି କହୁଥିଲେ । ପାଖାପାଖି ୧ ଲକ୍ଷ ଟଙ୍କା ଧାର କରଜ କରି ୩ ଏକରରୁ ଅଧିକ ଧାନ ଚାଷ କରିଥିବା ବେଳେ ବର୍ଷା ପୂର୍ବରୁ ୧ ଏକର ଧାନ କାଟି ଦେଇଥିଲେ । ସେହି ଧାନ ବର୍ଷା ପାଣିରେ ଗଜା ହୋଇଯାଇଥିଲା । ଯେଉଁଥିପାଇଁ ସେ ଦୁଃଖରେ ରହିଥିଲେ ।"

ଏହାମଧ୍ୟ ପଢନ୍ତୁ...

କ୍ଷେତରେ ଉଜୁଡା ଧାନ ଦେଖିଲେ, ଚାଷୀଙ୍କୁ କ’ଣ କହିଲେ ନବୀନ ଶୁଣନ୍ତୁ

ଗଞ୍ଜାମରେ ନବୀନ: କ୍ଷେତରେ ବୁଲି କ୍ଷୟକ୍ଷତି ଦେଖିଲେ, ଚାଷୀଙ୍କୁ ଭେଟିଲେ

  • ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ନବୀନ ପଟ୍ଟନାୟକ

ଅନ୍ୟପଟେ ଆଜି ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ନହରଣା ଆସି ମୃତକଙ୍କ ପରିବାରକୁ ଭେଟିଥିଲେ ନବୀନ ପଟ୍ଟନାୟକ । ଆଉମଧ୍ୟ ବାଲିକୁଦା ବ୍ଲକର ହଜାର ହଜାର ଚାଷୀଙ୍କ ସହ ବର୍ଷା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ । ସରକାର ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ତାଙ୍କ ସହ ବାଲିକୁଦା-ଏରସମା ବିଧାୟକ ସାରଦା ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details