ସମ୍ବଲପୁର:ପ୍ରେମ ଚିରନ୍ତନ ଓ ସତ୍ୟ । ଏହା ଦୁଇଟି ଆତ୍ମାର ମହାମିଳନ ହୋଇଥାଏ । ଏହା କେବଳ ବାହ୍ୟ ସୌନ୍ଦର୍ଯ୍ୟର ପରିଧି ଭିତରେ ଆବଦ୍ଧ ହୋଇ ନଥାଏ । ଶାଶ୍ୱତ ପ୍ରେମ 2ଟି ହୃଦୟର ମିଳନ ହୋଇଥାଏ । ଏହାକୁ ଆଜିର ଯୁବପିଢୀ ବୁଝିବା କଷ୍ଟକର ହୋଇଥିବା ବେଳେ ଏହାକୁ ଭଲଭାବେ ବୁଝି ପାରିଛନ୍ତି କଳାହାଣ୍ଡି ଭବାନୀପାଟଣାର ଯୁବକ ବିଶାଳ ବାଗ । ସେ ନିଜେ ଜଣେ ସୁସ୍ଥ ସବଳ ସୁନ୍ଦର ଯୁବକ ହୋଇଥିଲେ ମଧ୍ୟ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ବିଶାଳ ଓ ଦେବୀଙ୍କ ପ୍ରେମ କାହାଣୀ:
ବିଶାଳ ବାଗ ସମ୍ବଲପୁରର ମାନେଶ୍ଵର ବ୍ଲକର ନୁଆଗାଁର ଦେବୀ ବନଛୋର ନାମକ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରିଛନ୍ତି । ଦେବୀ ଜଣେ ଜନ୍ମରୁ ଦିବ୍ୟାଙ୍ଗ ଝିଅ । ତାଙ୍କର 2ଟି ଯାକ ଗୋଡ଼ ଭଲ ନାହିଁ । ତେବେ ସେ ଦିବ୍ୟାଙ୍ଗ ବୋଲି ଜାଣି ମଧ୍ୟ ନିଜର ଜୀବନ ସାଥୀ ଭାବେ ତାଙ୍କୁ ବାଛିଛନ୍ତି ବିଶାଳ ହୃଦୟର ବିଶାଳ । ତେବେ ଏହି ବାହାଘର ପ୍ରେମ ବିବାହ ଅଟେ । ବିଶାଳଙ୍କ ପରିବାର ଲୋକେ ଏହି ବିବାହକୁ ବିରୋଧ କରୁଥିଲେ ମଧ୍ୟ ସେ ପରିବାର ଲୋକଙ୍କୁ ବୁଝାଇ ସମ୍ବଲପୁରରେ ନିଜର ପ୍ରେମିକା ଦେବୀଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ସମ୍ବଲପୁରରେ କୋର୍ଟରେ ସେ ଦେବୀଙ୍କୁ ବିବାହ କରିଛନ୍ତି ।
ଫେସବୁକ ଫ୍ରେଣ୍ଡରୁ ଜୀବନ ସାଥୀ:
ତେବେ ବିଶାଳ ଓ ଦେବୀଙ୍କ ପ୍ରେମ କାହାଣୀ ଏକ ବଲିଉଡ ଫିଲ୍ମର କାହାଣୀରୁ କମ୍ ନୁହେଁ । ପ୍ରଥମେ ବିଶାଳ ଓ ଦେବୀଙ୍କ ବନ୍ଧୁତା ଫେସବୁକ ଜରିଆରେ ହୋଇଥିଲା । ଫେସବୁକ ଫ୍ରେଣ୍ଡରୁ ଏହି ସମ୍ପର୍କ ପ୍ରେମ ସମ୍ପର୍କରେ ପରିବର୍ତ୍ତିତ ହୋଇଥିଲା । ତେବେ ପ୍ରଥମେ ବିଶାଳ ଜାଣି ନଥିଲେ ଯେ ଦେବୀ ଜଣେ ଦିବ୍ୟାଙ୍ଗ ଝିଅ ବୋଲି, ଦିନେ ବିଶାଳ ଦେବୀଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ଦେବୀ ନିଜେ ଜଣେ ଦିବ୍ୟାଙ୍ଗ ବୋଲି ସ୍ପଷ୍ଟ ଭାବେ ବିଶାଳକୁ କହି ଦେଇଥିଲେ । ଦେବୀଙ୍କ ଏହି ସଚ୍ଚୋଟପଣିଆ ଦେଖି ବିଶାଳ ବହୁତ ଖୁସି ହୋଇଥିଲେ ଓ ଦେବୀଙ୍କୁ ହିଁ ବିବାହ କରିବେ ବୋଲି ମନରେ ସ୍ଥିର କରିଥିଲେ ।