ଭବାନୀପାଟଣା:ବେଆଇନ ମଦ କାରବାର ଉପରେ ଚଢାଉ ବେଳେ ଆକ୍ରମଣର ଶିକାର ପୋଲିସ । ଆଦିବାସୀଙ୍କ ମେରିଆ ପୂଜା ଚାଲିଥିବାବେଳେ ଗାଁରେ ଅବକାରୀ ବିଭାଗର ଚଢାଉକୁ ବିରୋଧ ହୋଇଛି । ଚଢାଉ ପାଇଁ ଯାଇଥିବା ଅବକାରୀ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିବା ସହ ଗ୍ରାମବାସୀମାନେ ପୋଲିସ ଗାଡିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ।
କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ଏନେଇ କଳାହାଣ୍ଡି ଜିଲ୍ଲା ଅବକାରୀ ସୁପରିଟେଣ୍ଡ ସୂଚନା ଦେଇଛନ୍ତି । "ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇବା ପରେ ସେହି ଗାଁରେ ଚଢାଉ କରିଥିଲା । ହେଲେ ଏହି ସମୟରେ ଗାଁର ଇଷ୍ଟଦେବୀଙ୍କ ନିକଟରେ ମେରିଆ ପୂଜା କରୁଥିଲେ ଗ୍ରାମବାସୀ । ତେବେ ଏହି ଚଢାଉକୁ ଘୋର ବିରୋଧ କରି ଗ୍ରାମବାସୀ ଅବକାରୀ ବିଭାଗକୁ ଗାଁରୁ ଚାଲିଯିବାକୁ କହିବା ସହିତ ଆକ୍ରମଣ କରିଥିଲେ । ଫଳର ଦୁଇଜଣ ଅବକାରୀ କନେଷ୍ଟବଳ ଆହତ ହୋଇଥିବାବେଳେ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଲୋକେ। ଏ ସଂକ୍ରାନ୍ତରେ ଭବାନୀପାଟଣା ସଦର ଥାନାରେ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି । "
୧୦ରୁ ଉର୍ଦ୍ଧ୍ବ ଅଟକ, ଥାନା ଘେରିଲେ ଗ୍ରାମବାସୀ :
କନର୍ଲା ଗ୍ରାମରେ ଆଦିବାସୀ ସମେତ ବିଭିନ୍ନ ବର୍ଗର ଲୋକ ବସବାସ କରୁଥିବାରୁ କନର୍ଲା ଗ୍ରାମରେ ପରମ୍ପରା ଅନୁଯାୟୀ ମେରିଆ ପୂଜା ଥିଲା । ପୂଜା ସମୟରେ ମଦ ବ୍ୟବହାର ହୋଇଥାଏ । ସେଥିପାଇଁ ମଦ ଥିଲା କିନ୍ତୁ ଅବକାରୀ ବିଭାଗ ବେଆଇନ ମଦ କାରବାର ହେଉଛି ବୋଲି ମିଥ୍ୟା ଭାବେ ଚଢାଉ କରିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ସେପଟେ ଅବକାରୀ ବିଭାଗର ଅଭିଯୋଗ ପରେ ପୋଲିସ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇ ଆଣିବାକୁ ବିରୋଧ କରି ଭବାନୀପାଟଣା ସଦର ଥାନାକୁ ଘେରାଉ କରିଥିଲେ ଗ୍ରାମବାସୀ ।
ଏମିତି କହିଲେ ଗ୍ରାମବାସୀ...
ଏନେଇ କନର୍ଲା ଗ୍ରାମବାସୀ ଶାନ୍ତି ମାଝୀ କହିଛନ୍ତି ,"ଆମେ ପରବ ପାଳୁଥିଲୁ। କିନ୍ତୁ ପୋଲିସ ଆସି ଆମର କିଛି ଳୋକଙ୍କୁ ଧରି ଆଣିଛନ୍ତି । ସେଥିପାଇଁ ଆମେ ଥାନାକୁ ଆସିଛୁ । ଆମେ ମଦ ବିକ୍ରି କରୁନଥିଲୁ । ଆମେ ଆମର ପରମ୍ପରା ଅନୁଯାୟୀ ମେରିଆ ପୂଜା ପାଇଁ ମଦ ରଖିଥିଲୁ । ହେଲେ ସେମାନେ ସବୁ ମଦକୁ ଫିଙ୍ଗିଦେଲେ । ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।"