ଭୁବନେଶ୍ବର:ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିନରେ 27 ଜଣ ପ୍ରତିଭାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ବସ୍ତୁବାଦୀ ଦୁନିଆରେ ଋଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ବ୍ରହ୍ମକୁମାରୀ ସୁଧାରାଣୀ ଗୁପ୍ତାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଆଧ୍ୟାତ୍ମିକ ମାର୍ଗରେ ଭାରତର ସଂସ୍କୃତି ଓ ଶାନ୍ତିର ବାର୍ତ୍ତାକୁ ବିଦେଶରେ ପ୍ରଚାର ପ୍ରସାର କରୁଛନ୍ତି ସୁଧାରାଣୀ । ୧୮ତମ ପ୍ରବାସୀ ଭାରତୀୟ ଦିବସରେ ତାଙ୍କୁ ସମ୍ମାନିତ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ସୁଧାରାଣୀ ଗୁପ୍ତା ।
ଆଧ୍ୟତ୍ମିକ ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ:
ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବ୍ରହ୍ମକୁମାରୀ ସୁଧାରାଣୀ ଗୁପ୍ତା କହିଛନ୍ତି, "35 ବର୍ଷ ପୂର୍ବେ ଋଷକୁ ଯାଇଥିଲି । ଆମ ଦେଶ ଯେଉଁଠାରେ ମୁଁ ଜନ୍ମ ନେଇଛି, ଯେଉଁଠି ପାଠପଢ଼ି ବଡ଼ ହୋଇଛି, ଯେଉଁଠି ଆମକୁ ଶିକ୍ଷା ମିଳିଛି, ସେଠାରେ ଆଜି ମୋତେ ସମ୍ମାନିତ କରାଯାଇଛି । ଆମ ଦେଶ ମୋତେ ମନେ ରଖି ପ୍ରବାସୀ ଭାରତୀୟ ଦିବସରେ ମନେ ପକାଇଛି । ଏଥିପାଇଁ ମୋତେ ବହୁତ ଗର୍ବ ଅନୁଭବ ହେଉଛି । ଆମେ ବାହାରେ ଥିଲେ ମଧ୍ୟ ଭାରତୀୟ ସଂସ୍କୃତିକୁ ଭୁଲି ନାହାନ୍ତି । ପିଲା ବେଳୁ ଆମ ଜୀବନର ଲକ୍ଷ୍ୟ ହେଉଛି ଆଧ୍ୟତ୍ମିକତା ମାଧ୍ୟମରେ ସେବା ପ୍ରଦାନ କରିବା । ସେବା କରି ଯେଉଁ ଆତ୍ମତୃପ୍ତି ମିଳୁଛି ଏହାର କୌଣସି ତୁଳନା ନାହିଁ । ଭାରତ ସରକାର ଆଧ୍ୟତ୍ମିକତାକୁ ଚିହ୍ନଟ କରିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ମୋର ବିଶ୍ବାସ ଅଛି ଯେ, ଆଧ୍ୟତ୍ମିକ ଶିକ୍ଷା ଦୁନିଆରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଜରୁରୀ ଅଟେ । ଏହାକୁ ସରକାର ଚିହ୍ନି ମୋତେ ସମ୍ମାନିତ କରିଛନ୍ତି । ମୋତେ ଲାଗୁଛି ସରକାର ମୋ ସହ ଆମ ଆଧ୍ୟତ୍ମିକ ଶିକ୍ଷାକୁ ସମ୍ମାନିତ କରିଛନ୍ତି ।"
ଯୁଦ୍ଧର ବିଭୀଷିକା ଭିତରେ ଶାନ୍ତିର ବାର୍ତ୍ତା:
ଋଷରେ ଯୁଦ୍ଧର ବିଭୀଷିକା ଭିତରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ସୁଧାରାଣୀ ଗୁପ୍ତା । ଏନେଇ ସେ କହିଛନ୍ତି, "ଆମେ ଋଷରେ ଲୋକମାନଙ୍କୁ ଆଧ୍ୟତ୍ମିକ ଶିକ୍ଷା, ନୈତିକତା ଶିକ୍ଷା, ମାନବିକତା ଶିକ୍ଷା ଦେଇଥାଉ । କେବଳ ଶିକ୍ଷା ଦେଇ ନଥାଉ ଆମେ ସେମାନଙ୍କ ରୋଲ ମଡେଲ ହୋଇଥାଉ। ଏଥିପାଇଁ ଆମେ ସେଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥାଉ । ଲୋକମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ବାସ୍ତବିକତା ଅନୁଭବ କରାଇଥାଉ । ବାସ୍ତବିକ ଅନୁଭବରୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ । ସେମାନଙ୍କ ଜୀବନ ବଦଳି ଯାଇଥାଏ । ଋଷର ଯେଉଁ ଲୋକ ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନେ ବର୍ତ୍ତମାନ ଶତ ପ୍ରତିଶତ ସାକାହାରୀ ହୋଇଯାଇଛନ୍ତି । କେହି ମଧ୍ୟ ମଦ୍ୟପାନ କରନ୍ତି ନାହିଁ, ବିବାଦ ସୃଷ୍ଟି କରନ୍ତି ନାହିଁ, କେହି ଯୁଦ୍ଧ କରୁନାହାନ୍ତି ।"
ଋଷ ଓ ୟୁକ୍ରେନ ହେଉଥିବା ଯୁଦ୍ଧକୁ ନେଇ ସୁଧାରାଣୀ ଗୁପ୍ତା କହିଛନ୍ତି, "ଆଧ୍ୟାତ୍ମିକ ଶିକ୍ଷା ଗ୍ରହଣ କରିବାକୁ ଆମ ଆସୁଥିବା ଋଷର ମାଆ ଭଉଣୀମାନଙ୍କ ଭାଇ, ପୁଅ, ନାତିମାନଙ୍କୁ ଯୁଦ୍ଧକୁ ଯିବାକୁ ପଡ଼ୁଛି । କିନ୍ତୁ ସେମାନଙ୍କ ସମ୍ପର୍କିୟ ଯୁଦ୍ଧକୁ ଯାଇଥିଲେ ମଧ୍ୟ ସମସ୍ତେ ବ୍ୟସ୍ତ ନହୋଇ ଶାନ୍ତ ରହୁଛନ୍ତି । ଆମେ ସେମାନଙ୍କୁ ଶାନ୍ତି ଓ ଶକ୍ତି ଦେଇଥାଉ । ଫଳରେ ସେମାନେ ବ୍ୟସ୍ତ ନ ହୋଇ ଶାନ୍ତ ରହିବେ । ଏହାର ଫଳର ସ୍ବରୁପ ଏହାର ରେଜଲ୍ଟ ଏମିତି ହେଲା କି ଯୁଦ୍ଧକୁ ଯାଇଥିବା ସେମାନଙ୍କ ପୁଅ ଓ ଭାଇମାନେ ସୁରକ୍ଷିତ ଭାବରେ ଯୁଦ୍ଧରୁ ଫେରିଥିଲେ । ଆମ ମନରେ ଯେଉଁ ଶାନ୍ତି ରହିଥାଏ ଓ ଯେଉଁ ଶାନ୍ତିର ବାତାବରଣ ଥାଏ ତାକୁ ଆମେ ଦୁନିଆରେ ପ୍ରଚାର କରିବା ଦ୍ବାରା ହିଁ ଦୁନିଆରେ ପରିବର୍ତ୍ତନ ହୋଇଥାଏ । ଋଷ ଓ ୟୁକ୍ରେନ ଯୁଦ୍ଧ ପଛରେ ବଡ଼ ଇତିହାସ ରହିଛି । ଏଥିପାଇଁ ଆମେ କାହାକୁ ଦୋଷ ଦେଉନାହୁଁ ବରଂ ଆମେ ଆମର କାମ କରିଚାଲିଛୁ । କିଭଳି ଦୁନିଆରେ ଶାନ୍ତି ରହିବ ସେଥିପାଇଁ ଆମେ ଆମ ଅବଦାନ ଦେଇ ଚାଲିଛୁ ।"