ବୌଦ୍ଧ: ବାଜିଲା ଖବର, ପଡ଼ିଲା ପ୍ରଭାବ ଓ ଚେତିଲା ପ୍ରଶାସନ । ସରକାରୀ କାଗଜପତ୍ରରେ ଜଣେ ଶତାୟୁ ବୃଦ୍ଧାଙ୍କୁ ମୃତ ଦର୍ଶାଯାଇଥିବାର ଖବର ‘ଇଟିଭି ଭାରତ’ରେ ପ୍ରସାରଣ କରାଯାଇଥିଲା । ବୃଦ୍ଧା ଜଣକ ଜୀବିତ ଥିବାବେଳେ ତାଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଯାଇଥିବାରୁ ସେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିଲେ । ଖବର ପ୍ରସାରଣ ପରେ ତଦନ୍ତ କରି ପ୍ରଶାସନ ତ୍ରୁଟି ସୁଧାରିବା ସହ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ।
‘ଇଟିଭି ଭାରତ’ର ପ୍ରଭାବ: ତ୍ରୁଟି ସୁଧାରିଲା, ଭତ୍ତା ଯୋଗାଇଲା ପ୍ରଶାସନ:-
ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଲାସିଙ୍ଘା ଗ୍ରାମର ଶତାୟୁ ବୃଦ୍ଧା ହେମ ମହାକୁଡ଼ଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଯାଇଥିଲା । ବୃଦ୍ଧା ଜଣକ ଜୀବିତ ଥିଲେ ମଧ୍ୟ, ସରକାରୀ ବାବୁଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରୀ ଦସ୍ତାବିଜରେ ମଧ୍ୟ ଗତ 5 ବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଦର୍ଶାଯାଇଥିଲା । ବଢିଗାଁ ପଞ୍ଚାୟତର ମୃତବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାମକୁ ତାଲିକାଭୂକ୍ତ କରିଥିଲା ପ୍ରଶାସନ । ଆଉ ଏ ସମ୍ପର୍କରେ ଚଳିତମାସ (ନଭେମ୍ବର) ୪ ତାରିଖରେ ‘ଇଟିଭି ଭାରତ’ରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରିତ ହେବା ପରେ ଉଭୟ ବୌଦ୍ଧ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏହାର ତଦନ୍ତ ଆରମ୍ଭ କରିଥିଲେ । ବୃଦ୍ଧା ଜଣକ ଜୀବିତ ଥିବା ଜାଣିବାକୁ ପାଇ ସ୍ଥାନୀୟ ପ୍ରଶାସନ ସରକାରୀ ରେକର୍ଡରେ ତ୍ରୁଟି ସଂଶୋଧିତ କରିଥିଲା । ଏହା ସହ ବୃଦ୍ଧାଙ୍କୁ ପୁଣି ଥରେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଯାଗୋଇ ଦିଆଯାଇଛି ।