ଓଡିଶା

odisha

ETV Bharat / state

କେନ୍ଦ୍ରୀୟ ନେତାଙ୍କ ଭରସାରେ ରାଜ୍ୟ କଂଗ୍ରେସ; ଓଡ଼ିଶାରେ ପ୍ରଚାର କରିବେ ରାହୁଲ-ପ୍ରିୟଙ୍କା - General Election

Congress Campaign Committee Meeting: ନିର୍ବାଚନ ପ୍ରସ୍ତୁତି ପରିପ୍ରେକ୍ଷୀରେ କଂଗ୍ରେସର ପ୍ରଚାର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଚାର ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା ହୋଇଛି । ଏଥର ଷ୍ଟାର ପ୍ରଚାରକ ହେବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରେବନ୍ତ ରେଡ୍ଡୀ ପ୍ରମୁଖ । ଜୋନ ସ୍ତରରେ ହେବ ବଡ ବଡ ସଭା । ଅଧିକ ପଢନ୍ତୁ

Congress Campaign Committee Meeting
କଂଗ୍ରେସ ପ୍ରଚାର କମିଟି ବୈଠକ

By ETV Bharat Odisha Team

Published : Feb 14, 2024, 1:06 PM IST

Updated : Feb 14, 2024, 2:07 PM IST

କେନ୍ଦ୍ରୀୟ ନେତାଙ୍କ ଭରସାରେ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର:ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସର ପ୍ରସ୍ତୁତି ଜୋରଦାର । ମଙ୍ଗଳବାର ଦିନ ରାଜ୍ୟ କଂଗ୍ରେସ ଭବନରେ ପ୍ରଚାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳର ପ୍ରମୁଖ ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରଚାର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଷ୍ଟାର ପ୍ରଚାରକଙ୍କ ଠାରୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାର କେଉଁ କେଉଁ ଦିଗ ଭୋଟରଙ୍କ ଆଗରେ ରଖାଯିବ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଲାଣି । ପ୍ରମୁଖ ଦଳଗୁଡିକ ଆରମ୍ଭ କରିଦେଲେଣି ନିର୍ବାଚନୀ ସଜବାଜ । ଏହି କ୍ରମରେ ମଙ୍ଗଳବାର ଦିନ କଂଗ୍ରେସ ପକ୍ଷରୁ ପ୍ରଚାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ବେଳେ ବଡ ବଡ ନିଷ୍ପତି ମଧ୍ୟ ନିଆଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ରୀୟ ସ୍ତରର ନେତୃବୃନ୍ଦଙ୍କ ଉପରେ ଭରସା କରିବ ଦଳ । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟ, ଡିକେ ଶିବକୁମାର, କହ୍ନୈୟା କୁମାର, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ପ୍ରମୁଖ ଷ୍ଟାର ପ୍ରଚାରକ ହୋଇ ରାଜ୍ୟରେ ପ୍ରଚାର କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ସେହିଭଳି ଜୋନ ଆଧାରରେ ବଡ ବଡ ସଭା କରିବ କଂଗ୍ରେସ । ସବୁ ବ୍ଲକ ଓ ଜିଲ୍ଲାରେ ହୋଡ଼ିଂ ଲଗାଯିବ । ଯାହାର ନାରା ବା ଟ୍ୟାଗ ଲାଇନ୍ "ଓଡ଼ିଶାରେ ଓଡ଼ିଆଙ୍କ ସରକାର, ନବୀନ ପଟ୍ଟନାୟକ ସରକାରକୁ ବରଖାସ୍ତ କର" ରହିବ । ଆଉ ମଧ୍ୟ ସ୍ଥାନୀୟ ପ୍ରସଙ୍ଗଗୁଡିକୁ ମୁଦ୍ଦା କରି ହୋଡିଂ, ପୋଷ୍ଟର ଓ ବ୍ୟାନର ଲେଖିବ କଂଗ୍ରେସ । ବିଭିନ୍ନ ରାଜ୍ୟରେ କଂଗ୍ରେସ ଦେଇଥିବା ଗ୍ୟାରେଣ୍ଟି ଭଳି ଓଡ଼ିଶାରେ ମଧ୍ୟ ଗ୍ୟାରେଣ୍ଟି କାର୍ଡ ଖେଳିବ । କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ଏବଂ ଦୁଇ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚାର ପତ୍ର ବଣ୍ଟାଯିବା ନେଇ ପ୍ରଚାର କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ନିର୍ବାଚନ ଆସିଲେ ଯୋଜନା ଆସେ, ସବୁ ଲଲିପପ୍: ନରସିଂହ

ତେବେ ଇସ୍ତାହାର କ'ଣ ରହିବ, ଦଳ କି ପ୍ରତିଶ୍ରୁତି ଦେବ, ଯଦିଓ ତାହା ସାମ୍ନାକୁ ଆସିନି କିନ୍ତୁ ସେନେଇ ପ୍ରଚାର କମିଟି ପାଖରେ ଇସ୍ତାହାର କମିଟି ନିଜ ଯୋଜନା ରଖିଥିବା ନେଇ ସୂଚନା ରହିଛି । ବେକାରୀ, ବେରୋଜଗାରୀ, କଳାଧନ, 15 ଲକ୍ଷ ଆକାଉଣ୍ଟକୁ ଆସିବା, ବର୍ଷକୁ 2 କୋଟି ଚାକିରି, ଦରଦାମ ବୃଦ୍ଧି, ଚିଟଫଣ୍ଡ, ଖଣି ଦୁର୍ନୀତି, ମୋଦି-ନବୀନ ପ୍ରସଙ୍ଗ ଆଦି ପ୍ରଚାର କ୍ୟାମ୍ପେନ ପତ୍ରିକାର ମୁଖବନ୍ଧରେ ରହିବ ବୋଲି ସୂଚନା ରହିଛି ।

ପ୍ରଚାର କମିଟି ବୈଠକ ପରେ ରାଜ୍ୟରେ ନିଜର ସଂଗଠନକୁ ଆହୁରି ସୁଦୃୃଢ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ବ୍ଲୁ-ପ୍ରିଣ୍ଟ । ନିର୍ବାଚନ ପୂର୍ବରୁ ମାଳ ମାଳ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ । ଉଭୟ ବିଜେଡି ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକମାନଙ୍କୁ ଅବଗତ କରାଇବା ସହ ଜନତାଙ୍କୁ ନିଜ ଆଡକୁ ନେବାକୁ କେନ୍ଦ୍ର ସ୍ତରର ନେତାଙ୍କୁ ପ୍ରଚାରରେ ସାମିଲ କରିବା ସହ ରାଜ୍ୟ କଂଗ୍ରେସର ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କୁ ମଧ୍ୟ ନିର୍ବାଚନରେ ପ୍ରଚାରର ଦାୟିତ୍ୱ ଦିଆଯିବ । ତେବେ 24 ବର୍ଷ ହେବ ଶାସନରୁ ଦୂରରେ ଥିବା କଂଗ୍ରେସ ଏବେ କ୍ଷମତାକୁ ଫେରିବାକୁ ପଣ କରିଛି । ସମୟ ଅନୁସାରେ ଭୋଟରଙ୍କ ମୁଡ୍ ପରଖି ପାରୁନଥିବାରୁ ପଛରେ ପଡ଼ି ଯାଉଛି ଦଳ । ତେବେ ଆଗାମୀ ନିର୍ବାଚନରେ କଂଗ୍ରେସ ପ୍ରସ୍ତୁତି କେତେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 14, 2024, 2:07 PM IST

ABOUT THE AUTHOR

...view details