ଭୁବନେଶ୍ୱର:ବୁଥ ଉପରେ ନଜର ରଖିବ ଡ୍ରୋନ । 70 ପ୍ରତିଶତ ବୁଥରେ ଲାଗିବ ସିସିଟିଭି କ୍ୟାମେରା ।ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନିର୍ବାଚନ ସୁପରିଚାଳନା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଗୁରୁବାର ଏନେଇ ପୋଲିସ ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବା ସହ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
ଗତକାଲି(ଗୁରୁବାର) ପୋଲିସ ଭବନଠାରେ ନିର୍ବାଚନ ପରିଚାଳନା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଏସପି, ଏଡିଜି, ଜିଡି ଓ ପୋଲିସ କମିଶନର ଯୋଗ ଦେଇଥିଲେ । ତେବେ କିଭଳି ଶାନ୍ତିଶୃଙ୍ଖଳା ଓ ସୁରୁଖୁରରେ ନିର୍ବାଚନ ହେବ ସେନେଇ ଏହି ବୈଠକରେ ଆଲୋଚନା ହେବା ସହ ବରିଷ୍ଠ ଅଧିକାରୀମାନଙ୍କୁ ଏ ବାବଦରେ ତାଲିମ ଦିଆଯାଇଥିଲା ।
ବିଶେଷ କରି ନିର୍ବାଚନକୁ କିଭଳି ଶାନ୍ତିଶୃଙ୍ଖଳା, ସ୍ଵଚ୍ଛତା ସହ ସମାପ୍ତ କରିହେବ ସେ ଦିଗରେ ଗୁରୁତ୍ଵାରୋପ କରାଯାଇଥିଲା । ନିର୍ବାଚନ ସମୟରେ ଟଙ୍କା କାରବାର, ନିଶା ବା ଚୋରା ମଦ କାରବାର ଉପରେ କିଭଳି ରୋକ ଲାଗିବ ସେନେଇ ଇଣ୍ଟେଲିଜେନସ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଥିଲା । ବୁଥ କ୍ୟାପ୍ଚରିଙ୍ଗ, ବୁଥ ରିଗିଂ ଓ ବୋଗସ ଭୋଟିଂ ବା ପୁଲିଂ ଏଜେଣ୍ଟଙ୍କ ଉପରେ ଆକ୍ରମଣ ଆଦି ଦିଗକୁ ନଜର ରଖି ସୁରକ୍ଷା ଉପରେ ଅଧିକ ଫୋକସ ଦିଆଯାଇଛି । ଏନେଇ ୬୦ରୁ ୭୦ ପ୍ରତିଶତ ବୁଥରେ ସିସିଟିଭି ଲଗାଇ ତାକୁ ମନିଟର କରିବାକୁ ଯୋଜନା କରାଯାଇଛି । ସେହିଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବା ସମ୍ବେଦନଶୀଳ ବୁଥଗୁଡିକରେ ହେଉଥିବା ଭୋଟିଂ ପ୍ରକ୍ରିୟା ଓ ଆଇନଶୃଙ୍ଖଳା ଉପରେ ନଜର ରଖିବାକୁ ଡ୍ରୋନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ଵ ଦେଇଛନ୍ତି ।