ଭୁବନେଶ୍ବର:ବନବିଭାଗକୁ ଚିନ୍ତାରେ ପକାଇ ଦେଇଛି ବାଘୁଣୀ ଜୀନତ । ଶିମିଳିପାଳରୁ ଫେରାର ହୋଇ ପ୍ରଥମେ ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗରେ ଯାଇ ପହଞ୍ଚିଛି ଜୀନତ । ଓଡ଼ିଶା ଫେରାର ଆଣିବାକୁ କସରତ ଜାରି ରଖିଛି ବନବିଭାଗ । ଟ୍ରାଙ୍କୁଲାଇଜ କରି ଓଡ଼ିଶାକୁ ଫେରାଇ ଆଣିବାକୁ ବନବିଭାଗ ଯୋଜନା କରିଥିବା ବେଳେ ସବୁ ଯୋଜନା ଫେଲ୍ ମାରୁଛି । ଟ୍ରାଙ୍କୁଲାଇଜ ହୋଇପାରୁନି ଜୀନତ । ଯାହାକୁ ନେଇ ଏବେ ଚିନ୍ତାରେ ବନବିଭାଗ ।
ହୋଇପାରୁନାହିଁ ଟ୍ରାଙ୍କୁଲାଇଜେସନ୍:
ଏନେଇ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ସମ୍ଭବ ହୋଇପାରୁନାହିଁ ଟ୍ରାଙ୍କୁଲାଇଜେସନ୍ । ବାଘୁଣୀ ଜୀନତକୁ ୩-୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଛି । ହେଲେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସମ୍ଭବ ହେଉନି ଟ୍ରାଙ୍କୁଲାଇଜେସନ୍ । ତେବେ ବାଘୁଣୀକୁ ସାଟେଲାଇଟ ରେଡ଼ିଓ କଲାର ଜରିଆରେ ତୀକ୍ଷଣ ନଜର ରହିଛି ବନ ବିଭାଗ । ତେବେ ସ୍ପଷ୍ଟ ଚିତ୍ର ମିଳି ପାରୁ ନଥିବାରୁ ଇଞ୍ଜେକସନ୍ ଠିକ୍ ଜାଗାରେ ଲାଗିନି । ଜୀନତ ଶିକାର କରୁଛି । ସୁସ୍ଥ ମଧ୍ୟ ଅଛି । ସାଟେଲାଇଟ ରେଡ଼ିଓ କଲାର ଜରିଆରେ ତା’ ଉପରେ ତୀକ୍ଷଣ ନଜର ରଖାଯାଇଛି ।’
ବାଘୁଣୀ ଜୀନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆରେ:
ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଆହୁରି କହିଛନ୍ତି, ‘ବାଘୁଣୀ ଜୀନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆରେ ନଜର ଆସିଛି । ଜୀନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍ । ଓଡ଼ିଶାର ଗୋଟିଏ ଟିମ, ସୁନ୍ଦରବନ ଟିମ ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ ଜୀନତ ପାଇଁ ଲାଗିଛନ୍ତି । ଯଦିଓ ଏବେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ନିଆଯାଇନି, ଆବଶ୍ୟକ ପଡ଼ିଲେ ସେ ବିକଳ୍ପ ବି ଆପଣାଯିବ । ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ ।’
ଶିମିଳିପାଳ ନିକଟରେ ଯମୁନା:
ପିସିସିଏଫ ପ୍ରେମ କୁମାର ଝା ଆହୁରି କହିଛନ୍ତି, ‘ବାଘୁଣୀ ଯମୁନା ଶିମିଳିପାଳ ଅଭୟାରଣ୍ୟରୁ ବାଲେଶ୍ବର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟ ରହିଛି । ଏବେ ବାଘୁଣୀ ଯମୁନା ପୁଣି ସେଠାରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିବ ବୋଲି ଯୋଜନା କରାଯାଉଛି । ବର୍ତ୍ତମାନ ବାଘୁଣୀ ଯମୁନା ସୁସ୍ଥ ଅଛି । ଜୀନତ୍ ବର୍ତ୍ତମାନ ପଶ୍ଚିମବଙ୍ଗକୁ ଚାଲିଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ଜୀନତ୍କୁ ଟ୍ରାକିଂ କରୁଛନ୍ତି । ଜୀନତ୍ ବର୍ତ୍ତମାନ ସୁସ୍ଥ ଅଛି ।’
ଶିମିଳିପାଳ ଆସିଥିଲା ପ୍ରଥମ ବାଘୁଣୀ ଯମୁନା:
ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ଚଳିତ ବର୍ଷ ପ୍ରଥମ ନୂଆ ଅତିଥି ବାଘୁଣୀ ଯମୁନା । ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ହେଲେ କିଛି ଦିନ ତଳେ ଶିମିଳିପାଳ ଛାଡି ଶିମିଳିପାଳ ଆଭୟାରଣ୍ୟ ପାଖ କୁଲଡିହା ଜଙ୍ଗଲରେ ରହିଛି ଯମୁନା । ସେଠାରେ ବନ ବିଭାଗ ବାଘୁଣୀକୁ ଟ୍ରାକ କରୁଛନ୍ତି ।