ଓଡିଶା

odisha

ETV Bharat / state

ECIଙ୍କ ବିଏଲଓ ପତ୍ରିକାରେ ଓଡ଼ିଶାର ମାସ୍କଟ ‘ମିତା ଦିଦି’

Odisha Assembly Election: ଭାରତୀୟ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ ରୂପେ ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’କୁ ସ୍ଥାନିତ କରିଛନ୍ତି ।ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 19, 2024, 10:09 AM IST

ECIଙ୍କ ବିଏଲଓ ପତ୍ରିକାରେ ଓଡ଼ିଶାର ମାସ୍କଟ ‘ମିତା ଦିଦି’
ECIଙ୍କ ବିଏଲଓ ପତ୍ରିକାରେ ଓଡ଼ିଶାର ମାସ୍କଟ ‘ମିତା ଦିଦି’

ଭୁବନେଶ୍ବର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲଓ ମାସ୍କଟ ‘ମିତା ଦିଦି’କୁ ଜାତୀୟ ମାନ୍ୟତା । ଭାରତୀୟ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ ରୂପେ ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’କୁ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲଓ ମାସ୍କଟ ପାଲଟିଛି । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନିର୍ବାଚନ ପ୍ରକ୍ରିୟାରେ ବିଏଲଓ ବା ବୁଥ ଲେବୁଲ ଅଫିସର ବା ବୁଥସ୍ତରୀୟ ଅଧିକାରୀମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭୋଟର ତାଲିକା ସଂଶୋଧନରୁ ଅରମ୍ଭ କରି ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି । ବାହାରକୁ ଜଣାପଡୁ ନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ସେମାନେ ଗୁରୁଦାୟିତ୍ୱ ବହନ କରୁଛନ୍ତି । ସେମାନଙ୍କୁ ନିର୍ବାଚନର ‘ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏ । ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲଓମାନଙ୍କ ଦାୟିତ୍ୱକୁ ଭୂୟସୀ ପ୍ରଶଂସା କରିଛନ୍ତି ରାଜ୍ୟ ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।


ଏହା ମଧ୍ୟ ପଢନ୍ତୁ...ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ । ବର୍ତ୍ତମାନ ଓଡ଼ିଶାର ‘ମିତା ଦିଦି’ ସମଗ୍ର ଦେଶର ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତ୍ରିକାର ଦଶମ ସଂସ୍କରଣରେ ‘ମିତା ଦିଦି’ ସ୍ଥାନ ପାଇଛି । ଏହା ସମସ୍ତ ବୁଥସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

ପ୍ରକାଶଯୋଗ୍ୟ, ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହୋଇ ଫଳାଫଳ ଆସିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ନିର୍ବାଚନ ଘୋଷଣା ସହିତ ସାରା ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ସେହିପରି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details