ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବିଜୟାଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାବାହୁ

ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ନୀତି ଅନୁଷ୍ଠିତ ହେବ । ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

By ETV Bharat Odisha Team

Published : 5 hours ago

ରତ୍ନବେଦୀରେ ସୁନାବେଶର ପ୍ରତୀକାତ୍ମକ ଚିତ୍ର
ରତ୍ନବେଦୀରେ ସୁନାବେଶର ପ୍ରତୀକାତ୍ମକ ଚିତ୍ର (ETV BHARAT ODISHA)

ପୁରୀ:ଆଜି ପବିତ୍ର ଶାରଦୀୟ ପାର୍ବଣର ଅନ୍ତିମ ପର୍ବ ଦଶହରା ବା ବିଜୟାଦଶମୀ । ଏହି ଦିନ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିବାରୁ ଅସତ୍ୟ ଉପରେ ସତ୍ୟର ବିଜୟ ଭାବେ ବିଜୟାଦଶମୀ ପାଳନ କରାଯାଏ । ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପରୁ ନେଇ ଚତୁର୍ଦିଗ ବେଦ, ମନ୍ତ୍ର, ଶଙ୍ଖ ନାଦ ଓ ଘଣ୍ଟା ଘଣ୍ଟାରେ କମ୍ପୁଛି । ଗତକାଲି (ଶନିବାର) ଶକ୍ତିପୀଠଗୁଡିକରେ ଜଗତଜନନୀ ମା' ଦୁର୍ଗାଙ୍କର ଦଶମୀପୂଜା ହୋଇଥିବା ବେଳେ ଆଜି ମଣ୍ଡପ ଗୁଡିକରେ ଦଶମୀପୂଜା ଆରମ୍ଭ ହୋଇଯାଇଛି । ଏହିକ୍ରମରେ 12ମାସରେ 13 ପର୍ବ ପାଳନ କରାଯାଉଥିବା ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ବିଜୟାଦଶମୀ ନୀତି ଅନୁଷ୍ଠିତ ହେବ । ସୁନାବେଶ ବା ରାଜରାଜଶ୍ୱେର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ ।

  • ଶ୍ରୀମନ୍ଦିରରେ ବିଜୟାଦଶମୀ:-

ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ । ଆଜିର ଦିନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି । ଏପଟେ ମା’ ବିମଳାଙ୍କ ପ୍ରତିନିଧି ମା’ କାକୁଡିଖାଇଙ୍କର ଆଜି ବିସର୍ଜନ ଥିବାବେଳେ ଆସନ୍ତାକାଲି ଅନ୍ୟାନ୍ୟ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀ ସଭା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।

ଶ୍ରୀମନ୍ଦିରରେ ବିଜୟାଦଶମୀ, ସୁନାବେଶରେ ଦର୍ଶନ ଦେବେ ମହାବାହୁ (ETV BHARAT ODISHA)
lord jagannath suna besha rituals (ETV BHARAT ODISHA)
  • ମହାପ୍ରଭୁଙ୍କ ସୁନାବେଶ:

ଶ୍ରୀମନ୍ଦିରରେ ଆଜି ଦଶହରା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହେଉଛି । ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯାଇଥାଏ । ଏହି ବେଶରେ ପାଞ୍ଚଖଣ୍ତ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବାର ବିଧି ରହିଛି। ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥାଏ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥାଆନ୍ତି।

lord jagannath suna besha rituals (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

  • ଶ୍ରୀମନ୍ଦିରରେ ବ୍ୟାପକ ସୁରକ୍ଷା:

ଆଜି ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଆସନ୍ତାକାଲି ସମସ୍ତ ଗୋଷାଣିଙ୍କ ଭସାଣ ଉତ୍ସବ କିଭଳି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

  • କାହିଁକି ପାଳନ ହୁଏ ଦଶହରା ?

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ‘ଶ୍ରୀ ଜଗନ୍ନାଥ ସଂସ୍କୃତି’ ଗବେଷକ ଶରତ ମହାନ୍ତି କୁହନ୍ତି,'' ବିଜୟା ଦଶମୀ ହେଉଛି ବିଜୟ ଉତ୍ସବ । ପ୍ରଭୁ ରାମଚନ୍ଦ୍ର ଦେବୀଙ୍କୁ ଯେତେବେଳେ ଆରଧନା କରିଥିଲେ ସେତେବେଳେ ଲଙ୍କା ଗଡରେ ରାବଣଙ୍କୁ ପରାସ୍ତ କରିଥିଲେ ମହାପ୍ରଭୁ ରାଘବେନ୍ଦ୍ର । ଦଶଶିର ବିଶିଷ୍ଟ ରାବଣକୁ ପରାସ୍ତ କରିବାରୁ ଏହାକୁ ଦଶହରା ମଧ୍ୟ କୁହାଯାଏ । ଏହା ଏକ ଉତ୍ସବ । କେବଳ ଓଡିଶା ନୁହେଁ ସାରା ଭାରତରେ ଏହି ପରମ୍ପରା ରହିଛି । ମହିଶାସୁର ବଧ କରିବା ପାଇଁ ସବୁ ଦେବତା ନିଜର ଆୟୁଧ ଦେବୀ ଦୂର୍ଗାଙ୍କୁ ପ୍ରଦାନ କରିଥିଲେ । ଏଣୁ ଦେବୀ ଦଶଭୁଜା, ଅଷ୍ଟଭୁଜା ରୂପରେ ପୂଜା ପାଉଛନ୍ତି ।’’

ସେ ଆହୁରି ମଧ୍ୟ କହିଛନ୍ତି ‘‘ ବିଜୟା ଦଶମୀ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆୟୁଦ୍ଧ ପୂଜା ହୋଇଥାଏ । ବିଜୟା ଦଶମୀ ଦିନ ସକାଳ ଧୂପ ଶେଷ ପରେ ମହାସ୍ନାନ ବଢିବା ପରେ ଆୟୁଧ ମାନଙ୍କୁ ରୂପା ଥାଳିରେ ରଖାଯାଇ ଶ୍ରୀମନ୍ଦିରକୁ ତିନି ଥର ପ୍ରଦକ୍ଷଣ କରାଯାଏ। ପରେ ପ୍ରଭୁଙ୍କୁ ଆୟୁଧରେ ଶୋଭା ବର୍ଦ୍ଧନ କରାଯାଏ। ବର୍ଷକୁ 5 ଥର ମହାପ୍ରଭୁ ସୁନାବେଶ ଧାରଣା କରିଥାନ୍ତି। ବିଜୟା ଦଶମୀରେ ମଧ୍ୟ ମହାପ୍ରଭୁ ରତ୍ନ ସିଂହାସନରେ ସୁନାବେଶ ତଥା ରାଜ ରାଜେଶ୍ବରୀ ବେଶ ଅନୁଷ୍ଠିତ ହେଇଥାଏ । ସୁନାବେଶରେ ମହାପ୍ରଭୁ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଅବକାଶ ବେଶ ପରେ ମହାପ୍ରଭୁଙ୍କ ଏହି ବେଶ ନୀତି ଅନୁଷ୍ଠିତ ହେଇଥାଏ ।''

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details