ଭୁବନେଶ୍ବର: ରାଜ୍ୟରେ କୌଣସି ପାଣିପାଗର ପ୍ରକ୍ରିୟା ସକ୍ରିୟ ନାହିଁ । ବର୍ତ୍ତମାନ ଦିନ ତାପମାତ୍ରା ସ୍ୱାଭାବିକ ସ୍ଥିତିରେ ରହିଥିବାବେଳେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରାଯାଇଛି । ହେଲେ ଦୁଇ ଦିନ ଯାଏଁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ପାଗ ଶୁଖିଲା ରହିଥିବାବେଳେ ପୁଣି ୩ ଓ ୪ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ଧ୍ୟମମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ବିଭାଗ ।
ଗତ ୨୪ ଘଣ୍ଟାରେ ଭଦ୍ରକର କେତୋଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଏହି କ୍ରମରେ ଭଦ୍ରକର ଚାନ୍ଦବାଲିରେ ସର୍ବାଧିକ ୧.୦ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ତାପମାତ୍ରା ମାଲକାନଗିରିରେ ୩୭.୦ ଡିଗ୍ରୀ ଓ ସର୍ବନିମ୍ନ ଫୁଲବାଣୀରେ ୧୪. ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗର ପ୍ରକ୍ରିୟା ସକ୍ରିୟ ନଥିବା ଜଣାପଡ଼ିଛି ।
ଅନ୍ୟପଟେ ରାଜ୍ୟରେ ପୁଣି ବଢିଛି ଦିନ ତାପମାତ୍ରା । ଗତ ୩ ଦିନ ଧରି ମେଘୁଆ ପାଗ ଥିବା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ତାତି କମିଥିବାବେଳେ ଆଶ୍ବସ୍ତି ଅନୁଭବ କରିଥିଲେ ରାଜ୍ୟବାସୀ । ହେଲେ ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ପୁଣି ଥରେ ତାତି ବଢିଛି । ଗତକାଲି ୫ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଥିଲା । ମାଲକାନଗିରିରେ ସର୍ବାଧିକ ୩୭ଡିଗ୍ରୀ ରହିଥିଲା । ଏହାପରେ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ, ବୌଦ୍ଧରେ ୩୫.୫ ଡିଗ୍ରୀ, ଟିଟିଲାଗଡ଼ ଓ ନବରଙ୍ଗପୁରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା ।