ମାଲକାନଗିରି: ଫେଲ୍ ମାରିଛି ବସୁଧା ଯୋଜନା । ଅଞ୍ଚଳରେ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ପରିବାରକୁ ମାତ୍ର ଗୋଟିଏ ନଳକୂପ ରହିଛି । ତେଣୁ ପାଣି ହାଣ୍ଡିଏ ପାଇଁ ଏଠାରେ ଯେମିତି ପ୍ରତିଯୋଗିତା ଲାଗିଥାଏ । ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତିବର୍ଷ ଜଳ ଯନ୍ତ୍ରଣାରେ ଭୋଗୁଛନ୍ତି ଲୋକେ । ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ଲୋକେ । ତେବେ ଖରାଦିନ ଆରମ୍ଭ ନ ହେଉଣୁ ଜଳ ସଙ୍କଟ ଦେଖା ଦେଇଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢିଛି ।
ସୂଚନା ଅନୁସାରେ, ବର୍ତ୍ତମାନ ୩ଟି ନଳକୂପକୁ ଛାଡିଦେଲେ ଅନ୍ୟ ୧୧ଟି ନଳକୂପ ସମ୍ପୂର୍ଣ୍ଣ ଅଚଳ । ବାରମ୍ବାର ପ୍ରଶାସନକୁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଅଞ୍ଚଳବାସୀ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୧ ବର୍ଷ ପୂର୍ବରୁ ବସୁଧା ଯୋଜନାରେ ୫୦ ହଜାର ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ ସରକାର । ହେଲେ ଏହା ଲୋକଙ୍କ ବ୍ୟବହାରରେ ଆସୁନି । ଖାଲି ସେତିକି ନୁହେଁ, ଗାଁରେ ଥିବା ସୌର ଚଳିତ ପାଣି ବି ଅଚଳ । ପାଇପ ଯୋଗେ ଘରକୁ ଘର ପାଣି ପାଇବା ପାଇଁ ଗାଁରେ ଲାଗିଛି ପାଣି ଟ୍ୟାପ୍ । ହେଲେ ପାଣି ଟ୍ୟାପରୁ ମଧ୍ୟ ପାଣି ବାହାରୁନଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ଲୋକଙ୍କୁ ନଳକୂପ ଉପରେ ନିର୍ଭରଶୀଳ ହେବାକୁ ପଡୁଛି ।