ନିମାପଡା:ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ହରିରାଜପୁର ଦୋଳ ମେଲଣ । ହରିହରଙ୍କ ଭେଟ ହେଉଛି ଏହି ମେଲଣର ମୁଖ୍ୟ ଆକର୍ଷଣ । ଯାହାକୁ ଦେଖିବା ପାଇଁ ଗତକାଲି(ରବିବାର) ନାହିଁ ନଥିବା ଭିଡ ଜମିଥିଲା । ଆତସବାଜି ସାଙ୍ଗକୁ ମେଳଣ ପଡ଼ିଆରେ ଠାକୁରଙ୍କ ଉପସ୍ଥିତି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।
ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ହରିରାଜପୁରରେ ଥିବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଲଣ ରବିବାର ରାତିରେ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ସ୍ଥାନାଧିପତି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବ ରବିବାର ମଧ୍ୟରାତ୍ରରେ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରରୁ ବାହାରି ଭକ୍ତଙ୍କ ଗହଣରେ ମେଳଣ ପଡ଼ିଆକୁ ବିଜେ କରିଥିଲେ । ଠାକୁରଙ୍କ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିବା ବେଳେ ରାତି ତମାମ ବାଣ ରୋଷଣିରେ ପ୍ରକମ୍ପିତ ହୋଇଥିଲା ମେଲଣ ପଡ଼ିଆ । ଖୋର୍ଦ୍ଧା ,ପିପିଲି, ଡେଲାଙ୍ଗ ଅଞ୍ଚଳରୁ ପାଖାପାଖି ୮୦ଟି ଦୋଳ ବିମାନ ଏଥିରେ ସାମିଲ ହୋଇଥିଲା । ସବୁ ବିମାନ ପହଞ୍ଚିବା ଅନୁଷ୍ଠିତ ହୋଇଥିଲା ହରିହରଙ୍କ ଭେଟ । ରାତି ତମାମ ଏହି ମେଲଣ ଯାତ୍ରା ସହ ଆତସବାଜିରେ କମ୍ପିଥିଲା ମେଳଣ ପଡ଼ିଆ । ଭଗବାନଙ୍କ ଉପସ୍ଥଇତି ଓ ସାଧୁ ସନ୍ୟାସୀଙ୍କ ଆଗମନରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ବିଶ୍ବାସ ରହିଛି ଦୋଳପୂର୍ଣ୍ଣିମାର ହରିହରଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପୂଜାର୍ଚ୍ଚନା ପରେ ଥାନପତି ପଶ୍ଚିମା ସମ୍ଭୁ ସୋମନାଥ ଓ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଦର୍ଶନ ପାଇଁ ଯାଇଥାନ୍ତି ।