ଝାରସୁଗୁଡ଼ା: ଜିଲ୍ଲା ଏବେ ପାଲଟିଛି ତତଲା କଡ଼େଇ । ମାର୍ଚ୍ଚ ମାସ ଆରମ୍ଭରୁ ଏଠାରେ ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ କଲବଲ କଲାଣି । ବିଭିନ୍ନ ଜିଲ୍ଲାରେ ଏବେ ହାଲୁକା ବର୍ଷା ହେଉଥିବାବେଳେ ଆଗକୁ ଖରା ବଢ଼ିବାକୁ ଯାଉଛି । ତେବେ ୩ରୁ ୪ ଦିନ ମଧ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ୪ରୁ ୬ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ ଅଧିକାରୀ ଯୋଗ ଦେଇଥିବାବେଳେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଜଙ୍ଗଲ ଜମିରେ ମାଳ ମାଳ ଶିଳ୍ପ କାରଖାନାମାନ ରହିଛି । ଜଙ୍ଗଲ ନଷ୍ଟ ହେବା ଫଳରେ ସିଧାସଳଖ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି । ଜଙ୍ଗଲ ନଷ୍ଟ ହେବା ଦ୍ବାରା ସଠିକ ସମୟରେ ବର୍ଷା ହେଉନଥିବା ସହ ଗରମ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଥିବା କଳକାରଖାନା ଗୁଡ଼ିକରୁ ନିର୍ଗତ ଧୁଆଁ ଯୋଗୁଁ ବାୟୁମଣ୍ଡଳ ଦୂଷିତ ହେଉଛି । ଯେଉଁଥିପାଇଁ ଗରମ ଅସମ୍ଭାଳ ହୋଇପଡ଼ିଛି । ଯାହା ଜନସାଧାରଣଙ୍କୁ ଅତିଷ୍ଠ କରିଦେଇଛି ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗ୍ରୀଷ୍ମପ୍ରବାହକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗକୁ ଆସୁଥିବା ଗ୍ରୀଷ୍ମପ୍ରବାହକୁ କିଭଳି ଭାବେ ସମ୍ନା କରାଯିବ ତାହାକୁ ନେଇ ଆଲୋଚନା କରାଯାଇଛି । ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରିବା, ଦିନ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ ଦିନ ମଜୁରିଆ ଭାବେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ କାମ ନକରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।