ବଲାଙ୍ଗୀର: ତତଲା କଡେଇରେ ସିଝୁଛି ବଲାଙ୍ଗୀର । ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୭ଟାରୁ ଏଠି ଆକାଶରୁ ଅଗ୍ନିବର୍ଷା ଭଳି ଅସହ୍ୟ ଖରା ହେଉଛି । ସେହିପରି ଦିନ ବେଳା ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନ ସମସ୍ତଙ୍କୁ କଲବଲ କରୁଛି । ସେହିପରି ସନ୍ଧ୍ୟା ଓ ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁ ନାହିଁ । ତେବେ ବିଗତ ପାଞ୍ଚ ଦିନ ହେବ ବଲାଙ୍ଗୀରରେ ତାପମାତ୍ରା ବଢି ବଢି ଚାଲିଛି ଏବଂ ସାରା ବଲାଙ୍ଗୀର ଏବେ ତତଲାଗଡ଼ ପାଲଟିଛି ।
ପାଣିପାଗ ବିଭାଗ ଆଜିଠୁ ଦୁଇ ଦିନ ପାଇଁ ଜିଲ୍ଲାରେ ବଢୁଥିବା ଗରମକୁ ନେଇ ରେଡ଼ ୱାର୍ଣ୍ଣିଙ୍ଗ ଜାରି କରିଛି । ସେହିପରି ବିଭାଗ ପକ୍ଷରୁ ତାପମାତ୍ରା 45 ଡିଗ୍ରୀ ସେଲସିୟସ ଉପରକୁ ଯାଇପାରେ ବୋଲି ଆକଳନ ମଧ୍ୟ କରାଯାଇଛି । ତେବେ ଏହାକୁ ନେଇ ବଲାଙ୍ଗୀର ପ୍ରଶାସନ ପକ୍ଷରୁ ମଧ୍ୟ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଯାହାକୁ ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସସ୍ମିତା ପ୍ରଧାନ କହିଛନ୍ତି ଯେ ବିଗତ କିଛି ଦିନ ତଳେ ବଲାଙ୍ଗୀରରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରେ ରହି ଆସୁଥିଲା, ହେଲେ ଆଜିଠୁ ଏହା ଆହୁରି ବଢିବାର ସମ୍ଭାବନା ଅଛି । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଲାଙ୍ଗୀର ବିଗତ ଦିନରେ ଗରମକୁ ନେଇ ଅରେଞ୍ଜ କ୍ୟାଟେଗୋରୀରେ ଥିଲା ଏବଂ ଆଜିଠୁ ଦୁଇ ଦିନ ପାଇଁ ଜିଲ୍ଲାରେ ଗରମକୁ ନେଇ ରେଡ଼ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା କଥା ସେ କହିଛନ୍ତି ।