ଗଞ୍ଜାମ:ରାସ୍ତାକୁ ପିଚୁ ପକାଇ କରାଯାଇଛି ଚକାଚକ୍ । ହେଲେ ମୁଖ୍ୟରାସ୍ତା ଉପରେ ରହିଯାଇଛି ବିଦ୍ୟୁତ ଖୁଣ୍ଟ । କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏହାକୁ ଦେଖି ଏକପ୍ରକାର ତାଜୁବ ହୋଇପଡିଲେ ଖୋଦ୍ ନବନିର୍ବାଚିତ ବିଜେପି ବିଧାୟକ ଓ ତାଙ୍କ ସମର୍ଥକ । ଏହା ରାଜ୍ୟର କୌଣସି ଦୁର୍ଗମ ଅଞ୍ଚଳ କିମ୍ୱା ମାଓ ଇଲାକା ନୁହେଁ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚାଷା ନିମଖଣ୍ଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଏକ ଦାୟିତ୍ୱହୀନ କାର୍ଯ୍ୟ ।
ଚଳିତ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ଏଠାକାର ନବନିର୍ବାଚିତ ବିଧାୟକ ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର କୌଣସି କାର୍ଯ୍ୟରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚାଷା ନିମଖଣ୍ଡି ପଞ୍ଚାୟତର ସିନ୍ଧବାଠାରୁ ପଦ୍ମପୁର ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ରାସ୍ତା ମଧ୍ୟରେ ବିଦ୍ୟୁତ ଖୁଣ୍ଟି ଦେଖିବାକୁ ଚକିତ ହୋଇପଡ଼ିଥିଲେ । ଏହାପରେ ନିଜର ଗଡ଼ିରୁ ଓହ୍ଲାଇ ପଡିବା ସହିତ ସେଠାକାର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ସହିତ କିଏ ଏବଂ କେଉଁ ପରିସ୍ଥିତିରେ ଏପରି ସାଧାରଣ ଜନତାଙ୍କ ମୁଖ୍ୟରାସ୍ତା ମଧ୍ୟରେ ଏପରି ବିଦ୍ୟୁତ ଖୁଣ୍ଟ ରଖିଛି, ତାହାକୁ ଦେଖି ଏକପ୍ରକାର ତାଜୁବ ହୋଇପଡିଥିଲେ ।