ବଲାଙ୍ଗୀର:ଭୋଜି ଖାଇବା ପଡ଼ିଲା ମହଙ୍ଗା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉପର୍ଝର ଗ୍ରାମରେ ରାମ ନବମୀ ଭୋଜି ଖାଇ ଝାଡାବାନ୍ତି ବ୍ୟାପିଛି । ଯେଉଁଥିରେ 70ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଉଛି । ତେବେ ସ୍ଥିତି ଏବେ ନିୟନ୍ତ୍ରଣ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ଉପର୍ଝର ଗ୍ରାମରେ ଗତ ୧୭ ଏପ୍ରିଲ ଗୁରବାର ରାମ ନବମୀ ଅବସରରେ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା । ଏହି ପ୍ରସାଦ ଖାଇବା ପରେ ସେହିଦିନ ରାତିରୁ ଲୋକଙ୍କୁ ପେଟ ଦରଜ ହେବା ସହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏଥିରେ 30ଟି ପରିବାରର ପ୍ରାୟ 70ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିଲେ । ତେବେ ସ୍ଥିତି ଅସମ୍ଭାଳ ହେବାର ଖବର ପାଇବା ପରେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ସେପଟେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ରାତିରେ ଗାଁକୁ ଯାଇ ଆକ୍ରାନ୍ତଙ୍କ ହାଲ ଚାଲ ବୁଝିବା ସହ ତାଙ୍କର ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଯେଉଁଥିରେ ସେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ଓ ଭୀମଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରି ସମସ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସେପଟେ ଆଜି ଆପ୍ ନେତା ଆଶିଷ ପାଣ୍ଡେ ମଧ୍ୟ ଗାଁକୁ ଯାଇ ଡାକ୍ତର ଓ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।