ପୁରୀ: କଣାସ ବ୍ଲକରେ ଝାଡାବାନ୍ତି ବ୍ୟାପିବା ନେଇ ତତ୍ପର ହୋଇଛି ପୁରୀ ଜିଲ୍ଲା ପ୍ରଶାସନ । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ 11 ଜଣ ଚିକିତ୍ସିତ ହେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ଅଭାବ ଓ ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ପୁରୀ ସିଡିଏମଓ । ଦୀର୍ଘ ଦିନ ହେବ ଲୋକମାନେ ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳାକୁ ସାଧାରଣରେ ସମାଲୋଚନା କରାଯାଇଛି । ଗତକାଲି (ରବିବାର) ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ରୁପଭାନୁ ମିଶ୍ର ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ।
- ଡାଇରିଆର ମୁଖ୍ୟ କାରଣ ପାଣି ସମସ୍ୟା:
‘ସିଡିଏମଓ’ ଡାକ୍ତର ରୁପଭାନୁ ମିଶ୍ର କହିଛନ୍ତି,''କଣାସ ଅଞ୍ଚଳରେ ଯେଉଁ ଡାଇରିଆ ବ୍ୟାପୁଛି, ତାହାର ସ୍ଥିତି ଅନୁଧ୍ୟାନ ପାଇଁ ମୁଁ ଗତକାଲି ଘଟଣାସ୍ଥଳକୁ ଯାଇଥଲି । ଡାଇରିଆ ବ୍ୟାପିବାର ମୁଖ୍ୟ କାରଣ ପାଣି ସମସ୍ୟା । ଲୋକଙ୍କ ପାଇଁ ଅଧିକ ପାନୀୟ ଜଳ ଯୋଗାଣର ଆବଶ୍ୟକ ରହିଛି । ସ୍ଥାନୀୟ ଦୟା ନଦୀର ଜଳ ପ୍ରଦୂଷିତ ହୋଇଥିବା ଜଳ ପରୀକ୍ଷଣରୁ ଜଣାପଡୁଛି । ଏଣୁ ଆମେ ଲୋକଙ୍କୁ ଦୟା ନଦୀର ଜଳ ବ୍ୟବହାର କରିବାକୁ ମନା କରିଛୁ । ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପିଇବା ପାଣି ଯୋଗାଇ ଦିଆଯାଉଛି । ନଳକୂପ ପାଣିକୁ ଅନ୍ୟାନ୍ୟ ବ୍ୟବହାର କରିବାକୁ କହିଛୁ ।
DIARRHEA IN KANASHA (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ଡାଇରିଆରେ ଶତାଧିକ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ମେଡିକାଲ
- ଡାଇରିଆ ଆକ୍ରାନ୍ତଙ୍କ ତଥ୍ଯ ସଂଗ୍ରହ କରାଯାଉଛି:
ଆଶା, ଅଙ୍ଗନବାଡ଼ି ଦିଦିମାନେ ଘରେ ଘରେ ଯାଇ ଡାଇରିଆ ଆକ୍ରାନ୍ତଙ୍କ ସ୍ଥିତି ସମ୍ପର୍କରେ ତଥ୍ଯ ସଂଗ୍ରହ କରୁଛନ୍ତି । ଯେଉଁ ରୋଗୀ ଆସୁଛନ୍ତି ସେମାନଙ୍କୁ ଆମେ ଚିକିତ୍ସା କରିଛୁ । ହାଲୋଜିନ୍ ବାଟିକା ପାଣିରେ ପକାଇ ପିଇବାକୁ ଦିଆଯାଇଛି । ସାବୁନ ଦ୍ଵାରା ସବୁବେଳେ ହାତ ଧୋଇବା ପାଇଁ ଆମେ ଲୋକଙ୍କୁ ସଚେତନ କରୁଛୁ । ସବୁ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରଯାଉଛି । ଦୁଇଟି ସ୍ବାସ୍ଥ୍ୟ ଶିବିର କରଯାଇଛି । ଗଡିଶାଗୋଦା ଚିକିତ୍ସାଳୟରେ ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଅଭିଜ୍ଞ ଡାକ୍ତରଙ୍କୁ ସେଠାକୁ ପଠାଯାଇଛି । ଚିକିତ୍ସା ବ୍ୟବସ୍ଥାରେ ଆଉ କ’ଣ ସୁଧାର ବ୍ୟବସ୍ଥା ହୋଇପାରିବ, ସେନେଇ ସମୀକ୍ଷା କରାଯାଉଛି । ଡାଇରିଆ ନିୟନ୍ତ୍ରଣ ନହେବା ଯାଏଁ ସେଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଚିକିତ୍ସା ବ୍ୟବସ୍ଥା ଜାରି ରହିବ ।''
‘ସିଡିଏମଓ’ ଆହୁରି ମଧ୍ୟ କହିଛନ୍ତି, ''ଡାଇରିଆରେ ଜଣଙ୍କର ମୃତ ହୋଇଥିବା ନେଇ କୌଣସି ରିପୋର୍ଟ ଆମର ହସ୍ତଗତ ହୋଇନାହିଁ । ରିପୋର୍ଟ ଆସିବା ପରେ ତଥ୍ଯ ଦେଇପାରିବି । ତେବେ ଭୁବନେଶ୍ଵର ‘ଏମ୍ସ’ରେ 2ଜଣ, ଜଣେ ହାଇଟେକ୍ ଓ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କଣାସରେ 7ଜଣ ଡାଇରିଆ ରୋଗୀ ଏବେବି ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣ ନୂଆ 4ଜଣ ପୁରୁଣା । '' ସ୍ଥିତି ଅନୁଧ୍ୟାନ ସମୟରେ ସିଡିଏମଓଙ୍କ ସହ ବିଶେଷଜ୍ଞ ଡାକ୍ତର, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ପୁରୀ