ଓଡିଶା

odisha

ETV Bharat / state

ରାଜ୍ୟରେ ପୁଣି ଡାଇରିଆ ଆତଙ୍କ, ଗଲାଣି ଏକାଧିକ ଜୀବନ ! - DIARRHEA SPREAD IN Odisha - DIARRHEA SPREAD IN ODISHA

DIARRHEA SPREAD IN ODISHA: କଳାହାଣ୍ଡି ଏବଂ ଭଦ୍ରକ ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ ସୃଷ୍ଟି କରିଛି । ଯେଉଁ ଗାଁରେ ଡାଇରିଆ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଗ୍ରାମରେ ସ୍ବାସ୍ଥ୍ୟ କର୍ମୀ ପହଞ୍ଚି ଲୋକଙ୍କୁ ଚିକିତ୍ସା କରିବା ସହ ସଚେତନ କରୁଛନ୍ତି । ଅଧିକ ପଢନ୍ତୁ

DIARRHEA SPREAD IN ODISHA
DIARRHEA SPREAD IN ODISHA (ETV Bharat Odisha)

By ETV Bharat Odisha Team

Published : Aug 29, 2024, 10:32 PM IST

ଭବାନୀପାଟଣା/ଭଦ୍ରକ:ରାଜ୍ୟରେ ପୁଣିଡାଇରିଆ ଆତଙ୍କ ଦେଖା ଦେଇଛି । କଳାହାଣ୍ଡି ଜିଲ୍ଲାରେ ଡାଇରିଆରେ ଗତ ୨ ଦିନରେ ଜଣେ ମୃତବରଣ କରିଥିବାବେଳେ ୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 6 ଜଣ ଗୁରୁତର ରହିଥିବା ଅଭିଯୋଗ ହୋଇଛି ।

DIARRHEA SPREAD IN ODISHA (ETV Bharat Odisha)

ନହେଲା ଗାଁରେ ଡାଇରିଆ ଆତଙ୍କ:

କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନହେଲା ଗାଁରେ ଡାଇରିଆ ଆତଙ୍କ । ଦୁଇ ଦିନରେ ଜଣକର ମୃତ୍ୟୁ ହୋଇଥିବାବେଳେ ୫ରୁ ଊର୍ଦ୍ଧ୍ବ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ନହେଲା ଗାଁରେ ଗତ ୩ ଦିନ ହେବ କିଛି ଲୋକଙ୍କୁ ହଠାତ୍ ଦେହ ଅସୁସ୍ଥ ହୋଇଥିଲା । ପରେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ଆବଶ୍ୟକ ସମୟର ଚିକିତ୍ସାସେବା ନ ପାଇବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଗୁରୁବାରି ପରଭୋଇ ।

ନହେଲା ଗାଁରେ ସ୍ବାସ୍ଥ୍ୟ ବିଭାଗ:

ଖବର ପାଇ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଲୋକଙ୍କୁ ଚିକିତ୍ସାସେବା ଯୋଗାଇ ଦେଇଥିବାବେଳେ ଗୁରୁତର ଅବସ୍ଥାରେ ଥିବା ୩ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ସେପଟେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ନଳକୂପ ସହ ନାଳରୁ ପାଣିର ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । ଗାଁରେ ଆହୁରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାବେଳେ ଗାଁରେ ମେଡିକାଲ ଟିମ୍ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ .....ଅନ୍ଧବିଶ୍ବାସ ପାଇଁ ଯାଉନଥିଲେ: ନିଜ ଗାଡିରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ ବିଡିଓ - DIARRHEA DISEASE

DIARRHEA SPREAD IN ODISHA (ETV Bharat Odisha)

ଭଦ୍ରକରେ ବି ଡାଇରିଆ ଆତଙ୍କ:

ଭଦ୍ରକ ଗେଲଟୁଆ ପଞ୍ଚାୟତ ଅଧିନସ୍ଥ ବଗମରା ଆଦିବାସୀ ସାହିରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତି ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି 6 ଜଣ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ବଗମରା ଆଦିବାସୀ ସାହିରେ ପ୍ରାୟ 150ରୁ ଅଧିକ ଆଦିବାସୀ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି । ସେମାନଙ୍କ ପେଷା ଦିନ ମଜୁରିଆ । ହେଲେ କୌଣସି କାରଣ ଯୋଗୁଁ ଏବେ ସେଠାରେ ଝାଡ଼ାବାନ୍ତି ବ୍ୟାପିଛି ।

ଝାଡାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ !

ବଗମରାର ଆଦିବାସୀ ସାହିର ରାସ୍ତା କାଦୁଅରେ ପରିପୂର୍ଣ୍ଣ ହୋଇଥିବା ବେଳେ ବର୍ଷା ଜଳ ଜମି ଦୁର୍ଗନ୍ଧ ଫାଟିପଡ଼ୁଛି ପରିବେଶ । ଖବର ପାଇ ଆଜି ଗାଁରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ଵତନ୍ତ୍ର ଟିମ ପହଞ୍ଚି ପୀଡିତ ମାନଙ୍କୁ ଚିକିତ୍ସା ପାଇଁ 108 ଆମ୍ବୁଲାନ୍ସ ସାହାଯ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଦୁଇ ଜଣ ଗ୍ରାମବାସୀ ଝାଡାବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେମାନେ ହେଲେ ବୋଇତୁ ମୁଣ୍ଡା ବୟସ 55 ବର୍ଷ ଏବଂ ମିକୁନୁ ମୁଣ୍ଡା ବୟସ 16 ବର୍ଷ । ଉଭୟଙ୍କ ମୃତଦେହ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ।

ଇଟିଭି ଭାରତ,କଳାହାଣ୍ଡି/ଭଦ୍ରକ

ABOUT THE AUTHOR

...view details