ଓଡିଶା

odisha

ETV Bharat / state

ଆହୁରି ଭକ୍ତିମୟ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସକାଳେ ଓ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ - Devotional Programme In Shreemandir

Devotional Programme In Shreemandir: ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଦୈନିକ ସକାଳୁ ବେଦ ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Devotional Programme
Devotional Programme

By ETV Bharat Odisha Team

Published : Mar 16, 2024, 9:29 PM IST

Devotional Programme

ପୁରୀ:ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନୂଆ ଅନୁଭୂତି ପାଇବେ ଭକ୍ତ । ପ୍ରତିଦିନ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କଥା ବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ । ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଣିକି ପ୍ରତିଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦୈନିକ ସକାଳୁ ବେଦ ପାଠ ଏବଂ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି ଏକ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ମଠର ମଠାଧୀଶମାନଙ୍କୁ ନେଇ ଆଲୋଚନା ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଦୋଳପୂର୍ଣ୍ଣିମାରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୬ଟା ରୁ ୭ଟା ମଧ୍ୟରେ ସିଂହଦ୍ଵାର ସମ୍ମୁଖରେ ବେଦ ପାଠ କରାଯିବ। ପରେ ପରିକ୍ରମା ମାର୍ଗରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ସେହିପରି ପ୍ରତିଦିନ ସନ୍ଧ୍ୟା ସମୟରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ପଶ୍ଚିମ ଓ ଉତ୍ତର ଦ୍ଵାର କୋଣରେ ଥିବା ସ୍ବତନ୍ତ୍ର ଗ୍ୟାଲେରୀରେ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଗୋଟିପୁଅ, ମାହାରୀ ନୃତ୍ୟ ସହିତ ମହାପ୍ରଭୁଙ୍କ ବିଭିନ୍ନ କଥାବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ଆସନ୍ତା 19ରେ ଫଗୁ ଉତ୍ସବ, ଚଳଚଞ୍ଚଳ ଶ୍ରୀମନ୍ଦିର

ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଭକ୍ତମାନେ ଉପଭୋଗ କରିପାରିବେ। ସେହିପରି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଏଣିକି ପୁରୀ ଆସୁଥିବା ଭକ୍ତମାନେ ଜଗନ୍ନାଥ ବଲ୍ଲଭ ପରିସରରେ ନିଜ ଯାନବାହାନ ପାର୍କିଂ ନକରି ନିକଟରେ ଥିବା ନବନିର୍ମିତ ମଲ୍ଟିଲେବଲ କାର ପାର୍କିଂରେ ଗାଡ଼ି ରଖିବେ। ସେଠାରୁ ଭକ୍ତମାନେ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ଯିବେ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା ରହିବ। ଜଗନ୍ନାଥ ବଲ୍ଲଭ ମଲ୍ଟିଲେବଲ କାର ପାର୍କିଂରେ କାର ଗୁଡ଼ିକ ୪ ଘଣ୍ଟା ପାଇଁ ୫୦ ଟଙ୍କା, ୪ ଘଣ୍ଟାରୁ ଅଧିକ ସମୟ ରହିଲେ ଘଣ୍ଟା ପିଛା ୧୦ ଟଙ୍କା ଅଧିକ ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ବାଇକଗୁଡ଼ିକ ୪ ଘଣ୍ଟା ପାଇଁ ୨୦ ଟଙ୍କା ଏବଂ ଅଧିକ ସମୟ ରଖିଲେ ଘଣ୍ଟା ପିଛା ୫ ଟଙ୍କା ଦେବାକୁ ପଡ଼ିବ ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details