ରାଇରଙ୍ଗପୁର: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ ଚଳଚଞ୍ଚଳ ହୋଇ ଉଠିଛି । ମୟୂରଭଞ୍ଜର କପିଳାସ ଭାବେ ବେଶ୍ ସୁପରିଚିତ ନସ୍କୋରିଆ ଶୈବ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ନସ୍କୋରିଆ ଶୈବ ପୀଠ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ପାହାଡ଼ ଉପରେ ଅବସ୍ଥିତ ଥିବା ବେଳେ ଏଠାକୁ ଯିବା ପାଇଁ ଭକ୍ତଙ୍କୁ ବେଶ ପରିଶ୍ରମ କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଶୈବପୀଠର ମହତ୍ତ୍ଵ ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଲୌହଖଣି ନିକଟସ୍ଥ ନସ୍କୋରିଆ ପାହାଡର ଗୁମ୍ଫା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିବାରୁ ଏହି ପୀଠକୁ ନସ୍କୋରିଆ ଶୈବପୀଠ କୁହାଯାଏ । ପ୍ରସିଦ୍ଧ ନସ୍କୋରିଆ ଶୈବ ପୀଠଟି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ୯୬ କିମି ଓ ରାଇରଙ୍ଗପୁରରୁ ୧୩ କିମ ଦୂରରେ ଅବସ୍ଥିତ । ନସ୍କୋରିଆ ଶୈବ ପୀଠରେ ପହଞ୍ଚିବା ପାଇଁ ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପ୍ରାକୃତିକ ଚଟାଣ ପଥ ଦେଇ ୧୮୦୦ ଫୁଟ ପାହାଡ଼ ଉପରକୁ ଚଢ଼ିବାକୁ ପଡେ । ଆଉ ପାହାଡ଼ର ଶୀର୍ଷରେ ଥିବା ପଥର ଗୁମ୍ଫାରେ ରହିଛି ବାବାଙ୍କ ପୀଠ । ଅନ୍ଧାର ସଂକୀର୍ଣ୍ଣ ପଥର ଗୁମ୍ଫାରେ ପଶି ବାବାଙ୍କୁ ଦର୍ଶନ କରିଥାନ୍ତି ଭକ୍ତ । କୁହାଯାଏ ଏଠାକୁ ଆସିଥିବା ଭକ୍ତଙ୍କର ସମସ୍ତ ମନକାମନା ନିଶ୍ଚିତ ପୂରଣ ହୋଇଥାଏ । ସେଥିପାଇଁ ଭକ୍ତ ନିଜର ମନବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଧାଇଁ ଆସିଥାନ୍ତି । ଏହି ପୀଠର ମହତ୍ବକୁ ବୁଝି ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସିଥାନ୍ତି ।
ମହାଶିବରାତ୍ରି ଓ ପଣା ସଂକ୍ରାନ୍ତି ଆଦି ଦୁଇ ପର୍ବ ବାବା ନସ୍କୋରିଆଙ୍କ ପୀଠରେ ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଥାଏ। ଏହି ଦୁଇଟି ପର୍ବରେ ବହୁ ଜାକଜମକରେ ପାଳିତ ହୁଏ । ଆବିର୍ଭାବକୁ ନେଇ ଲୋକକଥା ରହିଛି ଯେ, ସୁଣ୍ଢଳ ଗ୍ରାମର ସିଦ୍ଧେଶ୍ବର ଧଳ ନାମକ ଜଣେ ଭୂମିଜ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବାବା ପ୍ରଥମେ ସ୍ବପ୍ନାଦେଶ ଦେଇଥିଲେ । ସେ ପାହାଡ଼ ଗୁମ୍ଫାରେ ବାବାଙ୍କ ପୂଜାର୍ଚ୍ଚନା ସହ ଦୀର୍ଘବର୍ଷ ଧରି ସାଧନାରତ ରହିଥିଲେ । ସେତେବେଳ ନସ୍କୋରିଆ ପାହାଡ଼ ଘଞ୍ଚ ଜଙ୍ଗଲ ଏବଂ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଥିଲା । ବାବାଙ୍କ ସ୍ବପ୍ନାଦେଶ ପରେ ସେଠାରେ ସେ ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ । ସମୟକ୍ରମେ ସିଦ୍ଧେଶ୍ବରଙ୍କ ଦାୟାଦମାନେ ଓ ସୁଣ୍ଢଳ ଗ୍ରାମବାସୀ ନସ୍କୋରିଆ ପୀଠର ରକ୍ଷଣାବେକ୍ଷଣା କରି ଆସୁଛନ୍ତି ।