ଭୁବନେଶ୍ବର:ଓଡ଼ିଶା ଫେରିଲେ ଉପମୁଖ୍ୟମନ୍ତ୍ରୀ । 7 ଦିନିଆ ଲଣ୍ଡନ ଗସ୍ତ ସାରି ଓଡିଶା ଫେରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ପାଇଁ ଲଣ୍ଡନ ଯାତ୍ରା କରିଥିଲେ ସେ । ଆଜି (ଶନିବାର) ମଧ୍ୟାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ସେ । ଏହି ଅବସରରେ ଓଡିଶା ପର୍ଯ୍ୟଟନରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି କହିଛନ୍ତି ।
'ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ':
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,"ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କୁ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଓଡିଶା ଆସିବେ ବିଦେଶୀ ନିବେଷକ । କ'ଣ ଭିତ୍ତିଭୂମି ଅଛି ଏହାକୁ ଆମେ ଲଣ୍ଡନରେ ଉପସ୍ଥାନ କରିଛୁ । ଖୁବଶୀଘ୍ର ନିବେଶକ ମାନେ ଆସିବେ । ଆମ ଆଇକନିକ ସାଇଟ୍ କୋଣାର୍କ,480କିମି ବେଳାଭୂମି,ଚିଲିକା ଲେକ୍,ଶିମିଳିପାଳ,ଦେବ୍ରିଗଡ଼,ଦେଓମାଳୀର ପ୍ରଚାର ପ୍ରଶାପ ପାଇଁ ଆମେ ଆଲୋଚନା କରିଛୁ ।"
'ଓଡ଼ିଶା ଆସିବେ ବିଦେଶୀ ନିବେଶକ':
ସେ ଆହୁରି ମଧ୍ୟ କହିଛନ୍ତି,"ୱାର୍ଲଡ ଟୁରିଜିମ ମାର୍ଟରେ ଓଡ଼ିଶାର ପ୍ରଦର୍ଶନ ବହୁତ ଉତ୍କୃଷ୍ଟ ଥିଲା । ଓଡିଶା ତରଫରୁ ଷ୍ଟଲ ଥିଲା । ଭାରତ ସରକାରଙ୍କ ଷ୍ଟଲରେ ଦେଶର 14 ପ୍ରଦେଶ ସାମିଲ ହୋଇଥିଲେ । ସେଠି ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭେଟି ଓଡିଶାର ପଡିରହିଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛୁ । ଲଣ୍ଡନରେ ବାସ କରୁଥିବା ଓଡିଶା ପର୍ଯ୍ୟଟନ ସହିତ ସ୍ୱତଃପ୍ରବୃତ୍ତ ଭାବେ ଜଡିତ ଥିବା ପ୍ରବାସୀଙ୍କ ସହ ତିନି ରାଉଣ୍ଡ କଥା ହେଇଛୁ । ଲଣ୍ଡନର ହାଇକମିଶନଙ୍କ ସହ କଥା ହେଇଛୁ । ଅନେକ ଟୁର ଅପରେଟର, ଟୁରିଷ୍ଟ ଗାଇଡ଼ ବହୁତ କମ ଦିନ ଭିତରେ ଓଡିଶା ଆସି ଟୁରିଜିମ ପାଇଁ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବେ । ଅନେକ ବିଦେଶୀ ନିବେଶକ ମାନଙ୍କ ସହ କଥା ହୋଇଛୁ । ପ୍ରମୋଦ ମିତ୍ତଲଙ୍କୁ ଭେଟିଛୁ । ବହୁତ ଶୀଘ୍ର ଆମର ପ୍ରାକୃତିକ ସମ୍ପଦ ବିକାଶ ପାଇଁ ନିବେଷକ ଆସିବେ ।"