ଭୁବନେଶ୍ୱର:ଏକାମ୍ର ପ୍ରକଳ୍ପ ନାଁରେ ନଷ୍ଟ ହେଉଛି ଏକାମ୍ର ଐତିହ୍ୟ । ପ୍ରକଳ୍ପର ଯୋଜନା ନାଁରେ ଏକାମ୍ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ପରିବର୍ତ୍ତେ ଏହାର ଐତିହ୍ୟ ମାଟିରେ ମିଶିବାକୁ ଯାଉଛି । କାରଣ ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ପୁରୁଣା ଭୁବନେଶ୍ୱରର ଟାଉନ କ୍ଲବ କିଛି ଦିନ ମଧ୍ୟରେ ମାଟିରେ ମିଶିବାକୁ ବସିଛି । ଓବିସିସି ପକ୍ଷରୁ ଏଭଳି କଥା କୁହାଯିବା ପରେ ଏହାକୁ ନେଇ ବର୍ତ୍ତମାନ ବିରୋଧ ତେଜିଛି । ଐତିହ୍ୟର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ବିଭିନ୍ନ ସଂଗଠନ ଓ ପୁରୁଣା ଭୁବନେଶ୍ୱରବାସୀ ।
ତେବେ ଟାଉନ କ୍ଲବ ହେଉଛି ରାଜଧାନୀର ପ୍ରଥମ ପାଠାଗାର । ଏହି ପାଠାଗାର ବୀଣାପାଣି ପାଠାଗାର ନାଁରେ ପ୍ରଥମେ ନାମିତ ହୋଇଥିବା ବେଳେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ପୁରୁଣା କର୍ମଶାଳା ଥିଲା । ଏଠାରେ ପାଠପଢ଼ା ଠାରୁ ଆରମ୍ଭ କରି ଖେଳକୁଦ ଓ ସ୍ୱାବଲମ୍ବୀ ହେବାର ପ୍ରଶିକ୍ଷଣ ଦିଆଯାଉଥିଲା । ୧୯୩୬ ମସିହାରୁ ଆରମ୍ଭ ହୋଇଥିବା ଏହି କ୍ଲବକୁ ୧୯୭୫ରେ ଟାଉନ କ୍ଲବ ନାଁରେ ଜଣାଗଲା । ଏହି କ୍ଲବ ରାଜଧାନୀର ଗାରିମାମୟୀ ଇତିହାସ ସହ ଯୁବପିଢ଼ି ପାଇଁ ପ୍ରେରଣା ହୋଇ ସର୍ବଦା ଛିଡା ହୋଇଛି । ଯାହା ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ରଘୁନାଥ ମହାପାତ୍ରଙ୍କ ସ୍ମୃତିର ସ୍ମାରକୀ ।
ଏହିଠାରୁ ହିଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକାଳକୁ କରିବାର ଯୋଜନା ହେଉଥିବା ବେଳେ ଅସହଯୋଗ ଆନ୍ଦୋଳନରେ ଯୁବପିଢିଙ୍କୁ ସାମିଲ ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲା । ତାଙ୍କ ପ୍ରଚେଷ୍ଟାରେ ଚାଳ ଘରୁ ଆରମ୍ଭ ହୋଇ ଆଜି ତିନି ମହଲାରେ ବିଶିଷ୍ଟ କୋଠାରେ ପହଁଚିଛି । ଯେଉଁଠି ଦିନେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମମକୁ ମଜଭୁତ କରାଯାଇଥିଲା, ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା ତାହା ଆଜି ନିଜେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ।
ସେପଟେ ସରକାରଙ୍କ ଅଣଦେଖା କାରଣରୁ ଏକାମ୍ର ପ୍ରକଳ୍ପ ଯୋଜନାରେ ଏହାକୁ ଭାଙ୍ଗିବାକୁ ଓବିସିସି ପକ୍ଷରୁ କୁହାଯାଇଛି । ଏହାକୁ ନେଇ ୧୧୦ ବର୍ଷର ଏହି ଐତିହ୍ୟର ମୁକସାକ୍ଷୀ ମାଟିରେ ମିଶିବାକୁ ଯାଉଛି । ଏହାକୁ ନେଇ ବିରୋଧ ତେଜୁଥିବା ବେଳେ କାଳକ୍ରମେ ଏହି ପାଠାଗାରର ବର୍ତ୍ତମାନର ଦାୟିତ୍ୱ ନେଇଥିବା କ୍ଲବର ସଦସ୍ୟ ଭାଙ୍ଗିବାକୁ ବିରୋଧ କରିଛନ୍ତି । ଏନେଇ କ୍ଲବର ଉଭୟ ସଭାପତି ବିଧାୟକ ସୁର ରାଉତ ଓ ସମ୍ପାଦକ ପୃଥ୍ୱୀକାନ୍ତ ମହାପାତ୍ର କହିଛନ୍ତି ଯେ, ଏକାମ୍ର ଇତିହାସର ଏହି ମୁଖଶାଳା ଓ ପଣ୍ଡିତ ରଘୁନାଥଙ୍କର ସ୍ମୃତିକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ସରକାରଙ୍କୁ ଅନୁରୋଧ ଏହାକୁ ନଭାଙ୍ଗି ଏହାର ପୁନରୁଦ୍ଧାର କରାଯାଉ । ଯଦି ସରକାର ଅନୁରୋଧ ନ ଶୁଣିବେ ତେବେ ଆଗକୁ ପୁରୁଣା ଇତିହାସର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜୋରଦାର ବିରୋଧ ହେବ ।
ଏହା ମଧ୍ୟ ପଢ଼ନ୍ତୁ:ଏକାମ୍ର କ୍ଷେତ୍ର ଭୂମି ପୂଜନ ଉତ୍ସବ; ଚୌକି ନମିଳିବାରୁ ମଞ୍ଚରୁ ଉଠି ଆସିଲେ ସୁର, ହାତ ଟାଣି ନେଲେ ମେୟର
ଅନ୍ୟପଟେ କେବଳ କ୍ଲବର ସଦସ୍ୟ ନୁହଁନ୍ତି ବରଂ ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ଇତିହାସ ସାକ୍ଷୀ ଥିବା ଏହି ପାଠାଗାର ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି । ଆଉ ଏବେ ଏହି ସ୍ଵାଧୀନତା ସଂଗ୍ରାମର କ୍ଷେତ୍ର ଥିବା ବୀଣାପାଣି ପାଠାଗାର ଏକାମ୍ର ବିକାଶ ନାଁରେ ବିନାଶ ହେବାକୁ ଯାଉଛି । ତେଣୁ ସରକାରଙ୍କ ଏହାକୁ ନ ଭାଙ୍ଗି ଏହାର ପୁନଃରୁଦ୍ଧାର କରାଗଲେ ଏକାମ୍ରର ଏହି ପୁରୁଣା ଇତିହାସ ବଞ୍ଚିରହିବ । ଯାହା ଆଗାମୀ ଯୁବପିଢ଼ିକୁ ପ୍ରଥମ ମହିଳା ସ୍ୱାବଲମ୍ବୀର କର୍ମଶାଳାରେ ଇତିହାସ କହିବ । ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଓ ବିକାଶକୁ ନେଇ ଏକାମ୍ର ପ୍ରକଳ୍ପ ହେଉଥିବା ବେଳେ ଯୋଜନା ନାଁରେ ବୀଣାପାଣି ପାଠାଗାରର ଐତିହ୍ୟକୁକୁ ଏଭଳି ବୁଡି ମାରିବାକୁ ଦିଆନଯାଉ । ତେଣୁ ପ୍ରଶାସନ ଓ ସରକାର ନିଜର ଦାୟିତ୍ୱବୋଧକୁ ପାଳନ ସ୍ୱରୂପ ଐତିହ୍ୟର ସୁରକ୍ଷା କରନ୍ତୁ ବୋଲି ଦାବି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର