ବିଚରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଫୁଲବାଣୀ: ଜେଲରେ ଥିବା ଅବସ୍ଥାରେ ବିଚରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ଅଭିରାମ ଦିଗାଲ ।
ସୂଚନା ଅନୁଯାୟୀ, ଅଭିରାମଙ୍କ ବିରୋଧରେ ଏକ ଗଞ୍ଜେଇ କାରବାର ଜନିତ ମାମଲା ରହିଥିଲା । ତେବେ ସେ କୋର୍ଟ ସମନକୁ ବାରମ୍ବାର ଅମାନ୍ୟ କରିବାରୁ ତାଙ୍କ ନାମରେ ଓ୍ବାରେଣ୍ଟ କରାଯାଇଥିଲା । ଗତ ସୋମବାର ଦିନ ଅର୍ଥାତ ୧୫ ତାରିଖରେ ସେ ଅଦାଲତରେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ମଙ୍ଗଳବାର ତାଙ୍କୁ ଅସୁସ୍ଥ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଜେଲ କର୍ତ୍ତୃପକ୍ଷ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ଏହା ମଧ୍ୟରେ ପଢନ୍ତୁ...ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରଙ୍କ ତ୍ରୁଟି ପାଇଁ ଘଟିଗଲା ଦୁର୍ଘଟଣା, ମାମଲା ରୁଜୁ - Jajpur Bus Tragedy
ଅପରପକ୍ଷରେ, ଅଭିରାମଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିରାମଙ୍କ ସମ୍ପର୍କୀୟ କହିଛନ୍ତି ଯେ, ସୋମବାର ଦିନ ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । କିନ୍ତୁ ଗାଡିରେ ତାଙ୍କୁ କେତେବେଳେ ହସ୍ପିଟାଲ ନେଲେ ତାର ସ୍ପଷ୍ଟ ସୂଚନା ମଧ୍ୟ ନାହିଁ । ଅଭିରାମଙ୍କ ଚେହେରାରେ ଥୋଡି ଓ ଓଠ ଫାଟିବା ସହ ପଞ୍ଜରା ହାଡରେ ମଧ୍ୟ ଆଘାତର ଚିହ୍ନ ଦେଖିବାକୁ ମିଳିଛି । ଜେଲ୍ କର୍ତ୍ତୃପକ୍ଷ ପଡିଯାଇଥିଲେ ବୋଲି ତାଙ୍କୁ ଆଣି ଆଡମିଟ କରାଯାଇଛି । ତେଣୁ ତାଙ୍କୁ ଜେଲ ମାଡ ମରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ ।
ମୃତକଙ୍କ ଭାଇ ମିଖାଏଲ ନାୟକ ଟାଉନ ଥାନାରେ ଏତଲା ଦେଇ ଘଟଣାର ତଦନ୍ତ ଦାବି କରିଛନ୍ତି । ମୃତ ଅଭିରାମଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଥିବାରୁ ଜେଲରେ ତାଙ୍କୁ ପ୍ରବଳ ମାଡ ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଆଜି ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ଘଟଣାକୁ ନେଇ ଟାଉନ ଥାନାରେ ଏତଲା ହୋଇଥିବା ଏବଂ ଏତଲା ଆଧାରରେ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ । ଏହା ସହ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ସାମନାକୁ ଆସିବ ଓ ଏହାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେବ ବୋଲି କହିଛନ୍ତି ଏସଡିପିଓ ।
ଇଟିଭି ଭାରତ, କନ୍ଧମାଳ