ଭୁବନେଶ୍ବର:ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ । ହଜାର ନିକଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ ବର୍ଷ ଅପେକ୍ଷା ଦ୍ୱିଗୁଣିତ । ରାଜ୍ୟରେ ଅଣାୟତ୍ତ ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହା ଆଗାମୀ ଦିନରେ ରାଜ୍ୟରେ ଡେଙ୍ଗୁ ବିସ୍ପୋରଣର ରୂପ ନେଇପାରେ । ରାଜ୍ୟରେ କେବଳ ଡେଙ୍ଗୁ ନୁହେଁ ଏପରିକି ମ୍ୟାଲେରିଆ ହଇଜା ଭଳି ମାମଲା ବୃଦ୍ଧି ଘଟିବାରେ ଲାଗିଛି । ତେଣୁ ଏନେଇ ସମସ୍ତେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଡେଙ୍ଗୁ ମେଲେରିଆ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଘର ଘର ବୁଲି ଟେଷ୍ଟ କରିବା ସହ ପାଣି ଥିବା ସ୍ଥାନକୁ ସଫା କରାଯାଉଛି । ଏହାସହ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବିଏମସି ମଧ୍ୟ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ସବୁଠି ନଜର ରହିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷ ଭାବରେ ସ୍କୁଲ ଏବଂ ହଷ୍ଟେଲ ଗୁଡିକରେ ପିଲାଙ୍କୁ ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ମଶାରି ମଧ୍ୟରେ ଶୋଇବା ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଭଳି ଭାବରେ ପିଲାମାନେ ରୋଗଗ୍ରସ୍ତ ନହେବ ସେନେଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଉଛି ।
ରାଜ୍ୟରେ ଡେଙ୍ଗୁ ସ୍ଥିତି:
ଗତ 19 ତାରିଖ ସୁଦ୍ଧା ରାଜ୍ୟରେ 41181 ଜଣଙ୍କର ଟେଷ୍ଟ କରାଯାଇଥିବା ବେଳେ ସେଥିମଧ୍ୟରୁ 712 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 191 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ 19 ଜୁଲାଇ 2023 ମସିହାରେ ରାଜ୍ୟରେ 16592 ଟେଷ୍ଟ କରାଯାଇଥିବା ବେଳେ 426 ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 247 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଚଳିତ ବର୍ଷ ଖୋର୍ଦ୍ଧା ସମେତ ବୌଦ୍ଧରେ 86, ବାଲେଶ୍ଵରରେ 37, କଟକରେ 40, ପୁରୀରେ 34, ସୁନ୍ଦରଗଡ଼ରେ 90 ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକରେ କମ୍ କମ୍ ରୋଗୀ ଚିହ୍ନଟ ହୋଇଛନ୍ତି ।