ଭଦ୍ରକ/ରାଇରଙ୍ଗପୁର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କ୍ରମଶଃ ଘନୀଭୂତ ହେଉଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ରେ ବିଶେଷ ଭାବେ ଉପକୂଳ ଓ ଉତ୍ତର-ଉପକୂଳ ଜିଲ୍ଲାଗୁଡିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ୨୪ ଓ ୨୫ ତାରିଖ ମଧ୍ୟରେ ଭୀଷଣ ବାତ୍ୟା ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ସମ୍ଭବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିରୁ ଲୋକଙ୍କୁ କିପରି ସୁରକ୍ଷିତ ରଖାଯିବ ସେନେଇ ଉଭୟ ଜିଲ୍ଲା ପ୍ରଶାସନ ଚୂଡାନ୍ତ ପ୍ରସ୍ତୁତି କରିଛି । ମୟୂରଭଞ୍ଜରେ ଏନଡିଆଏଫ, ଓଡ୍ରାଫ, ଅଗ୍ନିଶମ ଓ ସ୍ବେଚ୍ଛାସେବୀଙ୍କ ନେଇ ଏକ ରେସକ୍ୟୁ ମକଡ୍ରିଲ୍ ଅନୁଷ୍ଠିତ ହୋଇଛି । ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକରେ ପହଞ୍ଚି ପ୍ରସ୍ତୁତି ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛି ।
ମୟୂରଭଞ୍ଜରେ ସରିଲା ମକଡ୍ରିଲ୍
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଆଲୋଚନା କରିଛନ୍ତି । ଜରୁରୀକାଳୀନ ସ୍ଥିତି ନେଇ ସମୀକ୍ଷା କରିବା ସହ କିପରି ଉଦ୍ଧାର ବ୍ୟବସ୍ଥା ହେବ ସେନେଇ ମକଡ୍ରିଲ କରାଯାଇଛି । ଆପଦକାଳୀନ ସ୍ଥିତି ପାଇଁ ୪୭ ଜଣିଆ ଗୋଟିଏ ‘ଓଡ୍ରାଫ’ ଓ ୩୫ ଜଣିଆ ଗୋଟିଏ ‘ଏନଡିଆରଏଫ’ ଟିମ୍ ମୟୁରଭଞ୍ଜ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସହାୟତା ଲୋଡାଯାଇଛି । ବିପର୍ଯ୍ୟୟ ପରିଚାଳନା ବାବଦରେ ସେମାନଙ୍କ ସହିତ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଭାଗଗୁଡ଼ିକ ସେମାନଙ୍କ ପୂର୍ବ ପ୍ରସ୍ତୁତି ନେଇ ଜଣାଇଥିଲେ । ଏଥି ସହିତ ଫସଲ, ଗୃହପାଳିତ ପଶୁପକ୍ଷୀଙ୍କୁ କିଭଳି ଭାବେ ସୁରକ୍ଷିତ ରଖାଯିବ, ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ମଧ୍ୟ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- ସହଯୋଗ କରିବେ ସ୍ୱେଚ୍ଛାସେବୀ, ତାଲିମ ଦେଲା ‘NDRF’
କଟକ ମୁଣ୍ଡଳୀ ସ୍ଥିତ NDRFରତୃତୀୟ ବାଟାଲିୟନର ସବ-ଇନିସ୍ପେକ୍ଟର ଅରୁ ଲାମ୍ବାଙ୍କ ନେତୃତ୍ୱରେ ଏକ ଟିମ୍ ଆସି ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ନେଇ ମକଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଛନ୍ତି । ମୁନସୀବନ୍ଧ ଠାରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ, ରେଡ଼କ୍ରସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ସମ୍ଭବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତିରୁ ଲୋକ ଓ ଗୃହପାଳିତ ପଶୁପକ୍ଷୀଙ୍କୁ ଉଦ୍ଧାର କାର୍ଯ୍ୟ ନେଇ ମକଡ୍ରିଲ ହୋଇଛି । ଟେବଲ-ଟପ ଅଭ୍ୟାସ ଓ ମକଡ୍ରିଲ ପରେ ବାତ୍ୟା ପରି ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା ନେଇ ଓଡ୍ରାଫ ଓ ଏନଡିଆରଏଫ ଟିମ ସଜାଗ ରହିଛନ୍ତି । ୫ଟି ଅତ୍ୟାଧୁନିକ ବୋଟ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବୋଟ, ଜଳ ନିଷ୍କାସନ ପମ୍ପ, ହାଇମାକ୍ସ ଲାଇଟ, କଟର ମେସିନ ଆଦି ପ୍ରସ୍ତୁତ ରଖାଯାଇଛି । ସେପଟେ ଦାନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।
- ଭଦ୍ରକରେ ପ୍ରସ୍ତତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ