କଟକ:SCB ମେଡିକାଲରେ ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଘଟଣା । ଗତ ଦୁଇ ମାସରେ ୮୨ ଜଣଙ୍କଠାରୁ ଠକେଇ ହୋଇଛି ୨୮ଲକ୍ଷ ଟଙ୍କା । ସେପଟେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୫ ରେ ପହଞ୍ଚିଛି । ସେପଟେ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ ହୋଇଛି । ଏତଲା ଦେଇଛନ୍ତି ନିଯୁକ୍ତି ଠକେଇର ଶିକାର ହୋଇଥିବା ଆହୁରି ୮ ଯୁବକ ଯୁବତୀ ।
ବଢୁଛି ଅଭିଯୋଗକାରୀଙ୍କ ସଂଖ୍ୟା:
ଏସସିବି ବଡ଼ ମେଡିକାଲରେ ଚାକିରି ନାଁରେ ଠକେଇ ଘଟଣା । ଆଜି(ମଙ୍ଗଳବାର) ଆଉ ୮ ଜଣ ଯୁବକଯୁବତୀ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ସେମାନଙ୍କଠୁ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଏହି ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।
ବଢିବ ଗିରଫଦାରୀ ସଂଖ୍ୟା:
କିଛି ଦିନ ପୂର୍ବରୁ ଘଟଣାରେ ୫ ଅଭିଯୁକ୍ତ ଗିରଫ ହୋଇଥିଲେ ସୁଦ୍ଧା ସୂତାଖିଅ ଲମ୍ବିବା ପରି ବଢି ଚାଲିଛି ଅଭିଯୋଗର ପୃଷ୍ଠା । ଠକେଇ ମାମଲାର ମୁଖ୍ୟ କାର୍ପଟଦାର ଦଲାଲ ୨ ଭାଇ ଅର୍ଜିତ ମହାନ୍ତି ଓ ଅର୍ପିତ୍ ମହାନ୍ତି ଏବଂ ଏମାନଙ୍କ ୨ ସହଯୋଗୀ ଦେବାଶିଷ ଓ ଅକ୍ଷୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ପୂର୍ବରୁ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କୁ ଏସସିବିରେ ଚାକିରି କରାଇ ଦେବାକୁ କହି 10 ଲକ୍ଷ ଟଙ୍କା ଠକେଇ କରିଥିଲେ ଏମାନେ । ଏହି ଠକେଇ ଜଣା ପଡିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା । କିନ୍ତୁ ଏହି ଘଟଣାରେ ଆହୁରି ଠକ ଲିଙ୍କ ରହିଥିବା ଥାନା ନେଇ ଅଭିଯୋଗ କରିଛନ୍ତି ଯୁବକ ଯୁବତୀ ।
୮୨ ଜଣଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ:
କଟକ ବଡ ମେଡିକାଲରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିଲା । ଗତ ଦୁଇ ମାସରେ ୮୨ ଜଣଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଲୁଟ କରୁଛନ୍ତି ଦଲାଲ ।