କେନ୍ଦ୍ରାପଡା: ଆଜିଠାରୁ ଭିତର କନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଏନେଇ ଗତ ଶୁକ୍ରବାର ଦିନ ରେଞ୍ଜ କାର୍ଯ୍ୟାଳୟ ଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2025 ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଚାଲିବ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ । ଅନ୍ୟପଟେ ଏହି ଗଣନା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଭିତରକନିକା ବନ୍ଦ ରହିଛି ।
ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ:
କୁମ୍ଭୀର ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭିତର କନିକାରେ ଆରମ୍ଭ ହୋଇଯାଇଛି କୁମ୍ଭୀର ଗଣନା । ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି," କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍ ଗଠନ କରାଯାଇଛି । କୁମ୍ଭୀର ବିଶେଷଜ୍ଞମାନେ ଏହି ଟିମରେ ରହିଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ମେମ୍ବର ରହିଛନ୍ତି । କେନ୍ଦ୍ରାପଡାରେ ବଉଳା କୁମ୍ଭୀର ୪ଟି ରେଞ୍ଜରେ ମିଳନ୍ତି । ବିଭିନ୍ନ ଟେକ୍ନୋଲୋଜି, ଜିପିଏସ ଟ୍ରାକ୍ କରି ଏହି ଗଣନା କରାଯିବ ।
କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2025 ଅନୁଷ୍ଠିତ
ସୁରୁଖୁରରେ ଗଣନା ପାଇଁ ଗତ ଶୁକ୍ରବାର ଦିନ ରେଞ୍ଜ କାର୍ଯ୍ୟାଳୟଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2025 ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟ ଅତିଥି ତଥା କୁମ୍ଭୀର ମୁଖ୍ୟ ଗଣନାକାରୀ ଭାବେ ବୈଜ୍ଞାନିକ ଡ଼. ସୁଧାକର କର ଯୋଗ ଦେଇ ବଉଳା କୁମ୍ଭୀର ଗଣନା ସମ୍ପର୍କରେ ବହୁ ଉପାୟ ପ୍ରଦାନ କରିଥିଲେ । ଆଉମଧ୍ୟ କୁମ୍ଭୀର ମାନଙ୍କର ପ୍ରଜନନ, ଅଣ୍ଡାଦାନ ଏବଂ ଛୁଆ ଜନ୍ମ ହେବାର ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।