ଭୁବନେଶ୍ବର:ଚୋରଙ୍କ ଦାଉରୁ ରକ୍ଷା ପାଇଁ ଆଲମାରି ବଦଳରେ ଚାଉଳ ହାଣ୍ଡିରେ ଲୁଚାଇଥିଲେ ଗହଣା । ହେଲେ ଘର ସାମ୍ନା ପଡୋଶୀ ମଉକା ଦେଖି ନଜର ରଖିଥିଲା ଗହଣା ଉପରେ । ଆଉ ଘର ଲୋକେ ଜନ୍ମଦିନ ପାଇଁ ବାହାରକୁ ଯାଇଥିବାବେଳେ ପଡୋଶୀ ଘରେ ପଶି ପୋଛି ନେଇଥିଲା ଗହଣା । ପରେ ବାହାନା ଦେଖାଇ ଶାଶୁ ଘରେ ଲୁଚିଥିବାବେଳେ ପଡୋଶୀ ପତିପତ୍ନୀକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ ୪ ଏସିପି ଗୌତମ କିଷାନ ।
ପୋଲିସ ସୂଚନା ଅନୁସାରେ, ନୟାପଲ୍ଲୀ ଥାନାରେ ଜ୍ୟୋସ୍ନାରାଣୀ ନାୟକଙ୍କ ଅଭିଯୋଗ ଆଧାରରେ ପଡୋଶୀ ସଂଘମିତ୍ରା ନାୟକ ଏବଂ ସୁଧାଂଶୁ ସାହୁ ତାଙ୍କ ଘରୁ ସୁନା ଗହଣା ଚୋରି ଅଭିଯୋଗରେ ଗିରଫ କରାଯାଇଛି । ଏପରି କି ଚୋରି ହୋଇଥିବା ଗହଣା ସାଲିଆସାହିରୁ ଜବତ କରାଯାଇଛି । ଅଭିଯୋଗକାରିଣୀ ଜ୍ୟୋସ୍ନାରାଣୀ କହିବା ଅନୁସାରେ ସେ ଜଣେ ଏସଏସଜି ଗ୍ରୁପର ସଦସ୍ୟା । ଅନେକ ସମୟରେ ଗ୍ରୁପର ମେମ୍ବର ଘରକୁ ଆସିଥାନ୍ତି । ଏପରିକି ସେହି ଭଳି ଭାବେ ଘର ସାମ୍ନାରେ ରହୁଥିବା ପଡୋଶୀ ସଂଘମିତ୍ରା ନାୟକ ମଧ୍ୟ ଆସିଥିଲେ । ଧିରେ ସମ୍ପର୍କ ବଢିଥିଲା । ଆଉ ପଡୋଶୀ ଭାବେ ଘରକୁ ଯିବା ଆସିବା ହେଲା । ଏହି ମଉକାରେ ନିବୀିଡତା ବଢିଲା । ଗତ ୧୩ ତାରିଖରେ ଆମେ ସମ୍ପର୍କିୟଙ୍କ ଜନ୍ମଦିନରେ ଯୋଗ ଦେବାକୁ ଯାଇଥିବା ବେଳେ ଘରେ ଏକୁଟିଆ ବୃଦ୍ଧା ମାଆ ରହିଥିଲେ ।