କୋରାପୁଟ: ଦେଓମାଳିଠାରେ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି। ଓଡି଼ଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏହା ଆୟୋଜିତ ହୋଇଛି। ଦେଓମାଳୀ ପର୍ବତ ଶିଖରରେ କେନ୍ଦ୍ରାଞ୍ଚଳ ତଥା ଦକ୍ଷିଣାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି। ଦେଓମାଳିର ସୌନ୍ଦର୍ଯ୍ୟକୁ ଶିଳ୍ପୀମାନେ ରଙ୍ଗ ତୂଳୀରେ ଅଙ୍କନ କରୁଥିବାରୁ ଅନେକ ପ୍ରଶଂସା କରିଛନ୍ତି ଆରଡିସି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ପୌରାହିତ୍ୟ କରିଥିଲେ।
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ଦେଓମାଳି ଚିତ୍ରକରଙ୍କ ପାଇଁ ଭୂସ୍ବର୍ଗ। ସମସ୍ତେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଜରୁରୀ।" ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା 15 ଜଣ ଚିତ୍ରକରଙ୍କୁ ଏହି ସୌନ୍ଦର୍ଯ୍ୟରାଜିକୁ ଉପଭୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ଦର୍ଶକଙ୍କ ନିକଟରେ ଏଠାକାର ନିଖୁଣ ଚିତ୍ର ପ୍ରଦର୍ଶନ କରିବାର ପ୍ରୟାସ କରିବା ପାଇଁ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି । ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଦେଓମାଳି ପାହାଡ଼ର ମାଳାକୁ ଦର୍ଶନ କରି ଅଭିଭୂତ ହୋଇପଡିଥିବା ଜଣାଇଛନ୍ତି ।