କଟକ: ନିର୍ମାଣ କାର୍ଯ୍ୟ ସରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଲୋକଙ୍କ ପାଇଁ ଖୋଲି ପାରିଲାନାହିଁ କଟକ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ଆଜି କଟକ ସହରର ବିଭିନ୍ନ ସମସ୍ୟା ନେଇ କଟକ ମହାନଗର ନିଗମ କମିଶନରଙ୍କୁ ଭେଟିଛି କଟକ ନଗର କଂଗ୍ରେସର ଏକ ପ୍ରତିନିଧି ଦଳ । ସହରରେ ଥିବା ସମସ୍ୟାର ଶୀଘ୍ର ସମାଧାନ ପାଇଁ କମିଶନରଙ୍କ ନିକଟରେ ଦାବି କରିଛି କଂଗ୍ରେସ ।
- କଂଗ୍ରେସର ଚେତାବନୀ:
କଟକ ସିଡିଏ ସ୍ଥିତ ବିଜୁ ପଟ୍ଟନାୟକ ପାର୍କକୁ ଶୀଘ୍ର ଖୋଲିବା ଓ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଶୀଘ୍ର ଖୋଲିବା ପାଇଁ ଦାବି କରିଛି କଂଗ୍ରେସ । ଯଦି ଦାବି ପୂରଣ ନହୁଏ ତା ହେଲେ ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି । ଅନ୍ୟପଟେ ଜାନୁଆରୀ ୨୩ ସୁଦ୍ଧା ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ଓ ଜାନୁଆରୀ ମାସ ଶେଷ ସୁଦ୍ଧା ବିଜୁ ପଟ୍ଟନାୟକ ପାର୍କ ଖୋଲାଯିବ ବୋଲି କହିଛନ୍ତି ସିଏମସି କମିଶନର । ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ ଯାଇଥିଲା ଏହି ପ୍ରତିନିଧି ଦଳ ।
- କାମ ସରିଛି, ହେଲେ ଖୋଲୁନି ପାର୍କ:
କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ କହିବା ଅନୁଯାୟୀ, କଟକ ସହରର ନବେ ଦଶକରେ ଏକଦା ମନୋରଞ୍ଜନର ଖୋରାକ ଯୋଗାଇଥିବା ବିଜୁ ପଟ୍ଟନାୟକ ପାର୍କର କିଛି ମାସ ପୂର୍ବରୁ ନବ କଳେବର ହୋଇଛି । କଟକ ସିଡିଏ ସେକ୍ଟର ୧୧ରେ ଥିବା ବିଜୁ ପଟ୍ଟନାୟକ ପାର୍କ ୧୯୯୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସହରର ଗହଳିରୁ ଟିକିଏ ବାହାରେ ଥିବା ଏହି ପାର୍କ ମନୋରଞ୍ଜନ ସହ ବଣଭୋଜି ପାଇଁ କଟକ ତଥା ଆଖପାଖ ଅଞ୍ଚଳର ଲୋକଙ୍କର ବେଶ୍ ପସନ୍ଦର ସ୍ଥାନ ପାଲଟିଥିଲା । ୨୦୧୦ ମସିହାରେ ଏହାର ନବୀକରଣ କରାଯାଇଥିଲା । ହେଲେ ବର୍ତ୍ତମାନ କଟକ ସହରରେ ଯେହେତୁ କୌଣସି ବଡ଼ ପାର୍କ ନାହିଁ ତେଣୁ ପୁନର୍ବାର ଏହାର ପରିସୀମାକୁ ବୃଦ୍ଧି କରାଯିବା ସହ ଅତ୍ୟାଧୁନିକ ବ୍ୟବସ୍ଥା ଓ ମନୋରଞ୍ଜନର ଜିନିଷ ଗୁଡ଼ିକୁ ଯୋଡା ଯାଇଛି ।
- 'ସିଏମସିର ମନମାନି ପାଇଁ ସବୁ ପ୍ରକଳ୍ପରେ ବିଳମ୍ବ':
କଂଗ୍ରେସ ନେତ୍ରୀ ଗିରିବାଳା ବେହେରା କହିଛନ୍ତି, "ପ୍ରାୟ ୩୦ ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି । କଟକ ଉନ୍ନୟନ କର୍ତ୍ତୃପକ୍ଷ ଓ କଟକ ମହାନଗର ନିଗମର ଅଧୀନରେ ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ପାର୍କ ନବୀକରଣ କାର୍ଯ୍ୟର ତଦାରଖ କରୁଥିବା ବେଳେ ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇ କାର୍ଯ୍ୟ ମଧ୍ୟ ସାରିଛି । ଅନେକ ସୁବିଧା ଯୋଡାଯିବା ସହ ନବୀକରଣ କାର୍ଯ୍ୟ ପାଇଁ ୩୦ରୁ ଉର୍ଦ୍ଧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ପାଖାପାଖି ସବୁ କାର୍ଯ୍ୟ ସରିଛି । ହେଲେ ଏପର୍ଯ୍ୟନ୍ତ ପାର୍କ ଲୋକାର୍ପିତ ହୋଇ ପାରିଲା ନାହିଁ । ଏମିତିକି ଶୀତ ଦିନ ଥିବାରୁ ଲୋକମାନେ ଏଠାକୁ ଆସୁଥିଲେ ସୁଦ୍ଧା ପାର୍କ ବନ୍ଦ ଥିବା କାରଣରୁ ହତାଶ ହୋଇ ଫେରୁଛନ୍ତି । ସିଏମସିର ଖାମଖିଆଲ ଓ ମନମାନି ପାଇଁ ସବୁ ପ୍ରକଳ୍ପରେ ବିଳମ୍ବ ହେଉଛି । କୋଟି କୋଟି ଟଙ୍କା ବ୍ୟୟ ହେଉଛି, ହେଲେ ସବୁ ପ୍ରକଳ୍ପ ଧିମେଇ ଧିମେଇ ଚାଲୁଛି ।