ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡୁଛି କଂଗ୍ରେସ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ଏହାରି ମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ସେବାଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସାଧାରଣ ନିର୍ବାଚନ କାର୍ଯ୍ୟକୁ ଜିଲ୍ଲା ସ୍ତରରେ ସୁପରିଚାଳନା କରିବା ପାଇଁ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି ।
ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ଆଡଭୋକେଟ ଅଶୋକ କୁମାର ସିଂହ ଓ ଅଶୋକ ନାଥଙ୍କୁ ସେବାଦଳ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବାବେଳେ ନୟାଗଡ଼ ପର୍ଯ୍ୟବେକ୍ଷକ ଭାବେ ଆଡଭୋକେଟ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ଆଡଭୋକେଟ ରମେଶ ଚନ୍ଦ୍ର ବରାଳ ଓ ମହମ୍ମଦ ଶାହାଦୁଲ୍ଲା (ଖୋର୍ଦ୍ଧା), ଦିଲ୍ଲିପ କୁମାର ପଣ୍ଡା (ନୂଆପଡ଼ା ଓ ବରଗଡ଼), ତୃପ୍ତି ଦାସ ଓ ଉଷାରାଣୀ ବେହେରା (କଟକ ସହର), ସ୍ବରୂପା ତ୍ରିପାଠୀ (ଗଞ୍ଜାମ-୨), ଆଡଭୋକେଟ ସମ୍ଭୁନାଥ ପାଣିଗ୍ରାହୀ (ଗଞ୍ଜମ-୧ ଓ ଗଜପତି), ଜ୍ୟୋତିଷ କୁମାର ସାହୁ ଓ କୁଳମଣି ସାହୁ (ଭୁବନେଶ୍ଵର), ବରୁଣ ରାଜ ଓ ପ୍ରତାପ ମଲ୍ଲିକ (କଟକ), ମୁନୁ ସରାଫ, ଭୀଷ୍ମଦେବ ସିଂହ ଓ ସମ୍ଭୁ ସିଂହ (ସୁନ୍ଦରଗଡ଼) ଓ ବିପିନ ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ସେବାଦଳ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛି ପିସିସି ।