ବାଲେଶ୍ବର:ଜୋର ଧରିଲା ବାଲେଶ୍ବରକୁ ମହାନଗର ନିଗମ ମାନ୍ୟତା ଦାବି । ପୁଣି ଏହି ଦାବିକୁ ଉଠାଇଛି ଜିଲ୍ଲା କଂଗ୍ରେସ । ନିର୍ବାଚନ ପୂର୍ବରୁ NAC ଲଲିପପ ବାଣ୍ଟୁଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଯଦି NAC ମାନ୍ୟତା ଦିଆଯାଉଛି । ତେବେ ବାଲେଶ୍ଵରକୁ ମହାନଗର ନିଗମର ମାନ୍ୟତା ବି ଦିଆଯାଉ ବୋଲି ଦାବି କରିଛି ଦଳ । ଏହାସହ ବିଜେପି-ବିଜେଡ଼ି ମେଣ୍ଟକୁ କଡ଼ା ସମାଲୋଚନା କରିଛି ଦଳ ।
ବାଲେଶ୍ବରଜିଲ୍ଲା କଂଗ୍ରେସ ସଭାପତିସଞ୍ଜୀବ ଗିରି କହିଛନ୍ତି, ‘‘ଦୁଇ ଦଳ ଭିତରେ ଅଘୋଷିତ ମେଣ୍ଟ ବହୁ ଦିନ ଆଗରୁ ଚାଲି ଆସିଛି । ଏବେ ଖାଲି ମେଣ୍ଟ ଚର୍ଚ୍ଚା ହେଉଛି । ଆଉ ଘୋଷଣା ବାକି ରହିଛି । ଯଦି ଦୁଇଦଳ ମଧ୍ୟରେ ମେଣ୍ଟ ହେଉଛି, ତେବେ କଂଗ୍ରେସ ଏହାର ନିଶ୍ଚିତ ଫାଇଦା ନେବ । ସେହପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରାଯାଉ । ବାଲେଶ୍ଵର ପୌରପାଳିକାକୁ ମହାନଗର ନିଗମର ମାନ୍ୟତା ପ୍ରଦାନ କରାଯାଉ ।’’
ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରି ସରକାର ଚଳିତ ବର୍ଷ ବିକାଶ ଲାଗି ୨୫ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ଉତ୍ତର ଓଡିଶାରେ ବାଲେଶ୍ଵର ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ଭଳି ପଛୁଆ ଜିଲ୍ଲାରୁ ଖଣି, ଜଙ୍ଗଲ, ଶିଳ୍ପ, ଖାଦାନରୁ ପ୍ରତିବର୍ଷ ରାଜସ୍ବ ବାବଦରେ ହଜାର ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି । ହେଲେ ଉତ୍ତର ଓଡିଶାର ସାମଗ୍ରିକ ବିକାଶ ଦିଗରେ କୌଣସି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛି ଦଳ ।