ଭୁବନେଶ୍ୱର:ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏନେଇ ରାଜ୍ୟର ୩ ପ୍ରମୁଖ ଦଳଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି ଟିକେଟ କସରତ । ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ପ୍ରଦାନ ପାଇଁ ଆଜି ବସିଲା କଂଗ୍ରେସ ପିଇସି କମିଟି ବୈଠକ । ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ କରିବ ଟିକେଟ ଘୋଷଣା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ । ଏନେଇ ପ୍ରଦେଶ ନିର୍ବାଚନ କମିଟି ବୈଠକରେ ପିସିସି ସଭାପତିଙ୍କ ସୂଚନା ଦେଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଟିକେଟ କସରତ ଆରମ୍ଭ ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ କଂଗ୍ରେସ ଏଥର ଟିକେଟ ଘୋଷଣା କରି ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବାକୁ ଯାଉଛି । ପ୍ରାର୍ଥୀମାନଙ୍କୁ ପୂର୍ବରୁ ଗ୍ରୀନ ସିଗନାଲ ଦେବ ଦଳ । ସେଥିପାଇଁ ଚାଲିଛି ଆଲୋଚନା । ପ୍ରଗମନ ଆପ୍ ମାଧ୍ୟମରେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ପାଇଁ ଆବେଦନ କରିବାକୁ ଆହ୍ୱାନ ଦେଇଥିଲା କଂଗ୍ରେସ । ଏପରିକି ପ୍ରଗମନ ଭଳି ଏକ ପାଇଲଟ ପ୍ରାଜେକ୍ଟ ଓଡ଼ିଶାରେ ଆରମ୍ଭ କରିଛି ଦଳ ।
ତେବେ ଏଥିରେ ବିଧାୟକ ପାଇଁ ୩ ହଜାର, ସାଂସଦ ପ୍ରାର୍ଥୀ ହେବାକୁ ୭୦୦ ଜଣ ଆବେଦନ କରିଥିବା ଜଣାପଡିଛି । ସେପଟେ ଆଜି ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି । ପ୍ରଗମନ ଆପ୍ରେ ଆବେଦନ କରିଥିବା ଆଶାୟୀମାନଙ୍କ ବିଷୟରେ ଆଲୋଚନା କରାଯାଉଛି । ଟିକେଟ ବଣ୍ଟାକୁ ସ୍ୱଚ୍ଛ କରିବା ପାଇଁ କଂଗ୍ରେସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।