ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ା ଜଗିବେ ଲୋକନାଥ, ସଭାପତି ଦାୟିତ୍ୱ ଦେଲା ପିସିସି

Lokanath Moharathi New Congress President Of Kendrapara: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ଭାର ସମ୍ଭାଳିବେ ପୂର୍ବରୁ ଯୁବ କଂଗ୍ରେସର ରାଜ୍ୟ ସଭାପତି ଲୋକନାଥ ମହାରଥୀ । ସଭାପତି ରୂପେ ଲୋକନାଥଙ୍କ ନାମ ଘୋଷଣା କଲା ପିସିସି । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ା ଜଗିବେ ଲୋକନାଥ , ସଭାପତି ଦାୟିତ୍ୱ ଦେଲା ପିସିସି
କେନ୍ଦ୍ରାପଡ଼ା ଜଗିବେ ଲୋକନାଥ , ସଭାପତି ଦାୟିତ୍ୱ ଦେଲା ପିସିସି

By ETV Bharat Odisha Team

Published : Feb 14, 2024, 5:32 PM IST

ଭୁବନେଶ୍ବର:ଲୋକନାଥ ମହାରଥୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି । ପିସିସି ପକ୍ଷରୁ ଲୋକନାଥଙ୍କ ନାମ ଘୋଷଣା କରାଯାଇଛି । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପଦ ତଥା କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ଜନତା ଦଳ ଭେଟେରାନ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ହେଉଛନ୍ତି ଅଂଶୁମାନ ମହାନ୍ତି । ବାପାଙ୍କ ବିୟୋଗ ପରେ କଂଗ୍ରେସରେ ରାଜନଗରରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଗତ ୨୦୧୯ରେ ବିଜେଡ଼ିର ଧ୍ରୁବ ସାହୁଙ୍କ ଠାରୁ ପରାସ୍ତ ହୋଇ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ନେଇ ସକ୍ରିୟ ରହିଥିଲେ । ତେବେ ଅଂଶୁମାନଙ୍କ ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି କହିଛନ୍ତି,"କଂଗ୍ରେସ ଦଳ ଏକ ବଡ଼ ଦଳ । ଯିଏ ଚାହିଁବ ଆସିବ ଯିବ । କଂଗ୍ରେସ ୨୪ବର୍ଷ କ୍ଷମତା ଠାରୁ ଦୂରରେ ଅଛି, କୌଣସି ଫରକ ପଡେନି । ଏହା ସହ ଅଂଶୁମାନ ଗଲେ ବି ଦଳ ପ୍ରଭାବିତ ହେବ ନାହିଁ ।" ସେପଟେ ଲୋକନାଥ ମହାରଥୀ ପୂର୍ବରୁ ଯୁବ କଂଗ୍ରେସର ରାଜ୍ୟ ସଭାପତି ଦାୟିତ୍ବ ତୁଲାଇଛନ୍ତି । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଲୋକନାଥ ଦଳୀୟ ପଦପଦବୀ ପାଇଁ ଲବିରେ ରହିଥିଲେ । ହେଲେ ପିସିସିରେ କୌଣସି ସ୍ଥାନ ନ ପାଇବାରୁ ଅସନ୍ତୁଷ୍ଟ ରହିଥିଲେ । ଏହାପରେ ଲୋକନାଥଙ୍କୁ ଆଉ ଶରତଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା ।

ଆଜି ଅଂଶୁମାନ ଦଳର ପ୍ରଥମିକ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ଲୋକନାଥ କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଆଲୋଚନା ପରେ ତାଙ୍କୁ ପିସିସି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସଂଗଠନକୁ ସୁଦୃଢ଼ କରିବାକୁ କୌଣସି ପ୍ରକାର ହାତଛଡା କରିବାକୁ ଚାହୁଁନି ଦଳ ।

ଏହା ମଧ୍ୟ ପଢନ୍ତୁ....କେନ୍ଦ୍ରୀୟ ନେତାଙ୍କ ଭରସାରେ ରାଜ୍ୟ କଂଗ୍ରେସ; ଓଡ଼ିଶାରେ ପ୍ରଚାର କରିବେ ରାହୁଲ-ପ୍ରିୟଙ୍କା

ଅଂଶୁମାନ ମହାନ୍ତି ଦୀର୍ଘ ଦିନ ଧରି କଂଗ୍ରେସରେ କଣଠେସା ହୋଇ ରହିଥିଲେ । ଉପକୂଳ ଓଡ଼ିଶାର ଏକ ବୃହତ ଏବଂ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ହେଉଛି କେନ୍ଦ୍ରାପଡା । ଏଠାରେ ପୂର୍ବରୁ କଂଗ୍ରେସ ଭଲ ସ୍ଥିତିରେ ରହିଥିଲା ହେଲେ ବିଜେଡ଼ି ସରକାର ଆସିବା ପରେ କଂଗ୍ରେସ ଧୀରେ ଧୀରେ ଦୁର୍ବଳ ସ୍ଥିତିରେ ପହଞ୍ଚିଛି । ସେପଟେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଅଂଶୁମାନ । ସେ ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details