ଭୁବନେଶ୍ବର:ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୋଲିସ । ଗତକାଲି ବାପୁଜୀନଗର ରେଳ ଧାରଣାରୁ ମଧୁମିତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଜି ତାଙ୍କ ମୃତ୍ୟୁର ତଦନ୍ତ ଜାରି ରହିଥିବା ବେଳେ ସ୍ୱାମୀଙ୍କ ମାନସିକ ଚାପରୁ ମଧୁମିତା ଜୀବନ ହାରିଥିବା କହିଛନ୍ତି ଡିସିପି । ଏଥିସହ ଏହି ଘଟଣାରେ ସ୍ୱାମୀ ଶ୍ରୀଧରଙ୍କୁ ବାନ୍ଧିଛି ପୋଲିସ । ଏହାସହ ଆଜି ମୃତଦେହ ବ୍ୟବଚ୍ଛେଦ ପାଇଁ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଘଟଣା ସ୍ଥଳରୁ ମୋବାଇଲ, ଚପଲ ଜବତ ହୋଇଥିବା ବେଳେ ସ୍କୁଟିକୁ ପାଇପାରିନି ପୋଲିସ । ସେପଟେ ମଧୁମିତାଙ୍କୁ ହରାଇ ପରିବାର, ବନ୍ଧୁ ପ୍ରିୟଜନ ଓ ସହକର୍ମୀ ଭାଙ୍ଗି ପଡିଛନ୍ତି ।
ତେବେ ଗତକାଲି ଜୀବନ ହାରିଥିବା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ । ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ । ଟଙ୍କା ପାଇଁ ମଧୁମିତାଙ୍କୁ ନିର୍ଯାତନା ଦେଉଥିଲେ ଶ୍ରୀଧର ବୋଲି ଅଭିଯୋଗ କରିଛି ପରିବାର । ଧଉଳି ଥାନାରେ ଅଭିଯୋଗ ପରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାକୁ ଗିରଫ କରିଛି ପୋଲିସ । ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାଇ ୮୦,୮୫,୧୧୮ କ୍ଲଜ ୧, କ୍ଲଜ ୧ ଏବଂ 3କ୍ଲଜ 5 ଆଧାରରେ ଗିରଫ କରିଛି ପୋଲିସ ।
ଗିରଫ ପରେ ଭୁବନେଶ୍ୱର ଡିସିପି ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହି ଘଟଣାରେ ବର୍ତ୍ତମାନ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଏତଲା କପିରେ ଉଲେଖ ଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ପୋଲିସ ।’ ଏହାରି ଭିତରେ ପ୍ରଶ୍ନ ଉଠୁଛି କାହିଁକି ଜୀବନ ହାରିଲେ ମଧୁମିତା ପରିଡା ? ସ୍ୱାମୀର ପରକୀୟା ପ୍ରୀତି ପାଇଁ ଜୀବନ ହାରିଲେ କି ମଧୁମିତା ? ନା ଶ୍ରୀଧର ପୂର୍ବରୁ ବିବାହିତ କଥାକୁ ସହଜରେ ଗ୍ରହଣ ପାରିଲେ ନାହିଁ ମଧୁମିତା । ଏମିତି ତମାମ ପ୍ରଶ୍ନର ଉତ୍ତର ମଧ୍ୟ ଖୋଜୁଛି ପୋଲିସ । ମଧୁମିତାଙ୍କ ଫୋନର ସମସ୍ତ ତଥ୍ୟକୁ ନନେଇ ମଧ୍ୟ ଯାଞ୍ଚ କରିବ ପୋଲିସ । ଏହାସହ ମଧୁମିତା ଗତକାଲି ମୃତ୍ୟୁ ପୂର୍ବରୁ ଧଳା ରଙ୍ଗର ସ୍କୁଟିରେ ଯାଉଥିବାର ସିସିଟିଭିକୁ ପୋଲିସ ଜବତ କରିଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ମଧୁମିତା ପୋଷ୍ଟ କରିଥିବା ଭିଡ଼ିଓକୁ ତଦନ୍ତ ପରିସର ଭୁକ୍ତ କରିଥିବା ସୂଚନା ମିଳିଛି । ମଧୁମିତାଙ୍କ ପରିବାର ଲୋକେ ଓ ଶଶୁରଘର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ ।