ବରଗଡ଼:ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିବେ । ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୦ ମିନିଟରେ ବିଜେପୁର ବ୍ଲକ କନାପାଳିଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ସେଠାରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ କରିବେ । ଏହାସହ ଅନ୍ୟ ୫୯ଟି ପ୍ରକଳ୍ପ ଉଦଘାଟନ କରିବା ସହ ୨୧ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ୩୦ ମିନିଟରେ ନବୀନ ନିବାସରୁ ବାହାରି ୧୦ଟା ୩୫ ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୂର୍ବାହ୍ନ ୧୦ଟା ୪୦ ମିନିଟ୍ରେ ବିମାନ ଯୋଗେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ଆସିବେ । ଦିନ ୧୧ଟା ୩୦ ମିନିଟ୍ରେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପରୁ ଅନ୍ୟ ଏକ ବିମାନ ଯୋଗେ ୧୧ଟା ୩୫ ମିନିଟ୍ରେ ବିଜେପୁର ବ୍ଲକ କନାପାଲି ପମ୍ପ ହାଉସ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ ଅଭିମୁଖେ ଯିବେ । ଉକ୍ତ ହେଲିପ୍ୟାଡ଼ରେ ୧୧ଟା ୫୦ ମିନିଟ୍ରେ ପହଞ୍ଚିବେ । ସେଠାରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ପମ୍ପ ହାଉସ ପରିଦର୍ଶନ ସହିତ ଉକ୍ତ ପ୍ରକଳ୍ପର ଡେମୋଷ୍ଟ୍ରେଶନ ଦେଖିବାର କାର୍ଯ୍ୟକ୍ରମ ରହିଛି ।
ସେଠାରୁ ନିକଟସ୍ଥ ବିଜେପୁର ଷ୍ଟାଡ଼ିୟମର କାର୍ଯ୍ୟକ୍ରମସ୍ଥଳୀକୁ ଯାଇ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନୃସିଂହନାଥ ପୀଠ ରୂପାନ୍ତରୀକରଣ ପ୍ରକଳ୍ପ ସହିତ 59 ଗୋଟି ପ୍ରକଳ୍ପର ଉଦ୍ଘାଟନ ଏବଂ 21 ଗୋଟି ନୂତନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୧୨ଟା ୨୭ ମିନିଟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ସତୀଭଟା ଏୟାରଷ୍ଟ୍ରିପକୁ ଯିବେ ଏବଂ ସେଠାରୁ ପୁଣି ୧୨ଟା ୫୫ମିନିଟ୍ରେ ବିମାନ ଯୋଗେ ନବୀନ ନିବାସ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି l