ନିମାପଡ଼ା:ଆଜି (୨୪ ତାରିଖ)ରେ ଉଦଘାଟନ ହେବାକୁ ଯାଉଛି ଓଡିଆଙ୍କର ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀରେ ନବ ନିର୍ମିତ ଓଡ଼ିଆ ବିଶ୍ବବିଦ୍ୟାଳୟ । ଶାନ୍ତ ଓ ମୁକ୍ତ ପରିବେଶରେ ପଢ଼ିବେ ପିଲା । ଗୁରୁକୁଳ ନ ହେଲେ ବି ସେହି ଶୈଳୀରେ ହେବ ଶିକ୍ଷାଦାନ । କିନ୍ତୁ ଉନ୍ନତ ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ସହ ସୁଦୃଢ଼ ଭିତ୍ତିଭୂମି ଉପରେ ଚାଲିବ ପାଠପଢ଼ା । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଏହା ପ୍ରକୃଷ୍ଟ ବାତାବରଣ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ପୂର୍ବାହ୍ନ ସାଢେ ୧୧ଟାରେ ଏହାର ଲୋକାର୍ପଣ କରିବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି ।
ଏହା ବି ପଢନ୍ତୁ- ପୁରୀରେ ଓଡିଆ ବିଶ୍ବବିଦ୍ୟାଳୟ ନିର୍ମାଣ ପ୍ରସଙ୍ଗ, ଜମି ଅନୁଧ୍ୟାନ କଲେ ଓବିସିସି ଯନ୍ତ୍ରୀ
ଓଡ଼ିଆ ଭାଷାକୁ ନେଇ ପିଲା ଉଚ୍ଚତର ଗବେଷଣା କରିବେ । ଭବିଷ୍ୟତ ପାଇଁ ନକ୍ସା ଆଙ୍କିବେ, ଗଢିବେ ନିଜ ଭାଗ୍ୟ । ସେଥିପାଇଁ ପୁରୀ ଜିଲ୍ଲାର ସତ୍ୟବାଦୀରେ ନିର୍ମାଣ ହୋଇଛି ଓଡ଼ିଶା ଅସ୍ମିତର ସୌଧ ଓଡ଼ିଆ ବିଶ୍ବବିଦ୍ୟାଳୟ । ଯେଉଁ ବକୁଳ ବନ ଦିନେ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିତା ସାଜିଥିଲା, ଆଜି ପୁଣି ସେହି ମାଟିରୁ ଓଡ଼ିଆ ଭାଷା ଶିକ୍ଷାଦାନର ବିପ୍ଲବ ଆରମ୍ଭ ହେଇଛି । ନିର୍ମାଣ ସରିଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଶିକ୍ଷାର କୋଣାର୍କ । ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀରେ ପ୍ରସ୍ଥାବିତ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି 11.30ଟାରେ ଏହାର ଉଦଘାଟନ ହେବ ।