ଭୁବନେଶ୍ବର: ସର୍ବସାଧାରଣଙ୍କ ପାଇଁ କଳିଙ୍ଗ ନଗରରେ ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆନନ୍ଦବନରେ କିଛି ମୁହୂର୍ତ୍ତ ବିତାଇବା ସହ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ । ଏହି ଅବସରରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । 5T ଉପକ୍ରମରେ ଏହି ଆନନ୍ଦବନର ବିକଶିତ କରାଯାଇଛି ।
ଶଙ୍କରପୁର ମୌଜାରେ ପ୍ରାୟ ୯୦ ଏକର ଅଞ୍ଚଳରେ ବିକଶିତ ହୋଇଛି ଏହି ଆନନ୍ଦବନ । ୩୦ କୋଟି ଟଙ୍କା ବ୍ୟୟର ଏହି ଆନନ୍ଦବନ ରାଜଧାନୀବାସୀଙ୍କୁ ସୁରମ୍ୟ ଅରଣ୍ୟର ଆନନ୍ଦ ଦେବ । ଏହା ମହାନଗରୀ, ବନଖଣ୍ଡ ଓ ଓଡ଼ିଶା ମାଇନିଂ କର୍ପୋରେସନ ବିଭାଗର ମିଳିତ ଉଦ୍ୟମର ଏକ ସଫଳ କୃତ୍ରିମ ପ୍ରାକୃତିକ ପରିବେଶ । ବିଶୁଦ୍ଧ ଅମ୍ଳଜାନର ଭଣ୍ଡାର ପାଲଟିଛି ଆନନ୍ଦବନ । ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଏହାର ଗୋଟିଏ ପାର୍ଶ୍ବରେ ୬୦ ଏକର ଓ ରାସ୍ତାର ଅନ୍ୟ ପାର୍ଶ୍ବରେ ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ବକୁ ଯୋଡିବା ପାଇଁ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ । କୃତ୍ରିମ ଉପାୟରେ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି ।
ଏହାରି ଭିତରେ ସାଇକେଲ ପଥ, ରଙ୍ଗଭୂମି, ଜଳାଶୟ, ଗଜିବୋ, କାଠ ପୋଲ, ଶୌଚାଳୟ, ଖୁସିର ଆଧାର, ବର୍ଷା ଆଶ୍ରୟ ସ୍ଥଳ, କଙ୍କର ପଥ, ବାଖ୍ୟାନ କେନ୍ଦ୍ର, ମିୟା ୱକ ବୃକ୍ଷରୋପଣ, ସୁଗନ୍ଧଭରା ପଥ, ହିଲ ପ୍ଳେ ମଣ୍ଡପ, ଯୋଗ ମଣ୍ଡପ, ଫୁଡଜୋନ, ପାର୍କିଂ, ମାଟି ପଥ, ସାଇକେଲ ଟ୍ରାକ ରହିଛି । ଜଳାଶୟ ଓ ପୁଷ୍କରଣୀରେ ହଂସ ଖେଳୁଥିବା ଦୃଶ୍ୟ ସଭିଙ୍କ ମନ ମୋହୁଛି । ଏହାସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ । ଆନନ୍ଦବନରେ ୫ଟି ଗେଟ ରହିଛି । ଜଙ୍ଗଲର ସୁରକ୍ଷା ଲାଗି ବ୍ୟାପକ ପରିମାଣର ସିସିଟିଭି ଲାଗିବା ସହିତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।