ଓଡିଶା

odisha

By ETV Bharat Odisha Team

Published : Feb 15, 2024, 7:45 PM IST

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଷ୍ଟ୍ରୀୟ ସମ୍ମାନର ସହ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ

Organ Donors Last Rites: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଅଙ୍ଗଦାତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ସମ୍ପନ୍ନ ହେବ । ଅଧିକ ପଢନ୍ତୁ

Organ Donors Last Rites
Organ Donors Last Rites

ଭୁବନେଶ୍ବର:ଏଣିକି ରାଷ୍ଟ୍ରୀୟ ସମ୍ମାନର ସହ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ । ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ବୀକୃତି ସ୍ବରୂପ ଏହା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଗୁରୁବାର) ଏହି ଘୋଷଣା କରିଛନ୍ତି । ଏହା ଦ୍ବାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବ । ଏହା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜକୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, " ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ଏହି ସାହସିକ ନିଷ୍ପତ୍ତି ନେଇଥାନ୍ତି । ଅଙ୍ଗଦାନ ପାଇଁ ସ୍ବୀକୃତି ପ୍ରଦାନ କରିଥାନ୍ତି । ଅନ୍ୟମାନଙ୍କ ଜୀବନ ରକ୍ଷାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ରାଜ୍ୟ ସରକାର ଏହି ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିଛନ୍ତି । ସେଥିପାଇଁ ୨୦୧୯ ମସିହାରେ ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁଜ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ (SOTTO) ପ୍ରତିଷ୍ଠା କରିଛନ୍ତି ।"

ଏହା ବି ପଢନ୍ତୁ- ବ୍ରେନଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ, ମୃତ୍ୟୁ ପରେ 4 ଜଣଙ୍କୁ ଦେଇଗଲେ ନୂଆ ଜୀବନ

ସେହିପରି ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ୨୦୨୦ରୁ ସୁରଜ ପୁରସ୍କାର ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁରଜଙ୍କ ନାମରେ ଏହି ପୁରସ୍କାର ପ୍ରଚଳନ କରାଯାଇଛି । ସଡକ ଦୁର୍ଘଟଣାରେ ଗୁରୁତର ଆହତ ସୁରଜଙ୍କ ମସ୍ତିଷ୍କ ମୃତ୍ୟୁ ଘଟିଥିଲା । ତାଙ୍କ ପରିବାର ସୁରଜଙ୍କର ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡିକ ୬ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା । ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ଏଥି ସହିତ ପ୍ରତିବର୍ଷ ବିଶ୍ବ ଅଙ୍ଗଦାନ ଦିବସ ଅଗଷ୍ଟ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଅଙ୍ଗଦାତାମାନଙ୍କ ନିକଟତମ ଆତ୍ମୀୟଙ୍କୁ ସମ୍ମାନିତ ମଧ୍ୟ କରୁଛନ୍ତି ।

ଅଙ୍ଗଦାନ ଏକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ । ଏହାଦ୍ବାରା ଜଣେ ବ୍ୟକ୍ତି ମୃତ୍ୟୁ ପରେ ଅମର ରହିଥାଏ । ଅନେକ ସମୟରେ ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀ ଦାନ ହୋଇଥିବା ମୃତଦେହର ଅଙ୍ଗପ୍ରତ୍ୟଙ୍ଗ ଓ ମୃତଦେହ ଉପରେ ଅଧ୍ୟୟନ କରିଥାନ୍ତି । ଅନେକ ସମୟରେ ବ୍ରେନଡେଡ ବ୍ୟକ୍ତିଙ୍କ ପରିବାର ଅଙ୍ଗଦାନ କରିବାର ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details